ପୁରୁଷୋତ୍ତମପୁର,୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଅପରାଧୀମାନେ ଦିନକୁ ଦିନ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିବାରୁ ପୋଲିସର ନିଦ ହଜିଯାଇଛି। ଏମାନଙ୍କୁ ଧରିବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ କରୁଛି। ମାତ୍ର ସେମାନେ କୌଶଳକ୍ରମେ ପୋଲିସକୁ ଚକମା ଦେଖାଇ ଚମ୍ପଟ ମାରିବାରେ ଲାଗିଛନ୍ତି। ଏହି ଅପରାଧୀମାନେ ପୁରୁଷୋତ୍ତମପୁର ଥାନା ସମେତ କୋଦଳା, ବେଗୁନିଆପଡ଼ା, କବିସୂର୍ଯ୍ୟନଗର, କୋଟିନଡ଼ା,ପାଟପୁର ଥାନା ଇଲାକା ସମେତ ଜିଲାର ବିଭିନ୍ନ ଥାନାରେ ଆପରାଧିକ ମାମଲାରେ ସଂପୃକ୍ତ ରହିଥିବାର ନେଇ ପୋଲିସ ପକ୍ଷରୁ ଜଣାପଡ଼ିଛି। ଏପରିକି ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଓ ଛକଗୁଡ଼ିକରେ ଆତଙ୍କରାଜ ଚଳାଇଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ରାସ୍ତାରେ ଯାତାୟାତ କରିବାକୁ ଲୋକେ ବିପଦ ମଣୁଥିବାବେଳେ ଦୌରାତ୍ମ୍ୟର ଶିକାର ହୋଇ ମଧ୍ୟ ଲୋକେ ଜୀବନ ଭୟରେ ଏମାନଙ୍କ ବିରୋଧରେ ମୁହଁ ଖୋଲିବା କି ପୋଲିସରେ ଅଭିଯୋଗ କରିବାକୁ ସାହସ କରୁନାହାନ୍ତି। ଗତ ମାର୍ଚ୍ଚ ୨ତାରିଖରେ ଏକ ଆପରାଧିକ କାର୍ଯ୍ୟ ଘଟାଇବାକୁ ଯୋଜନା କରୁଥିବାବେଳେ ନିଜ ବନ୍ଧୁକରୁ ଗୁଳି ଫୁଟି ନିଜେ ଆହତ ହୋଇଥିଲେ। ମାତ୍ର ପୋଲିସ କବଳରୁ ବର୍ତ୍ତିବା ଲାଗି ନାଟକୀୟ ଢଙ୍ଗ ରଚନା କରି ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଶିକୁଳା ଶୁଣ୍ଢିବାଙ୍କଠାରେ ଦୁର୍ବୃତ୍ତମାନେ ଗୁଳି କରି ଦେଇଥିବା ନେଇ ଏକ ମିଥ୍ୟା କାହାଣୀ ରଚିଥିଲେ। ଯାହାକି ପୋଲିସର ତଦନ୍ତରେ ସତ୍ୟତାର ଗୁମର ଫିଟିଥିବାବେଳେ ମୁଖ୍ୟ ଅଭିଯୁକ୍ତ ସାଗର ବେହେରା, ରାହୁଲ ପ୍ରଧାନଙ୍କ ସମେତ ଜଣେ ନାବାଳକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଗ୍ୟାଙ୍ଗର ଅନ୍ୟ ଅଭିଯୁକ୍ତ ଶ୍ରୀମନ୍ତ ଓରଫ ନିଲୁ ନାହାକ, ପାଣ୍ଡା ଓରଫ ରାଜେଶ ଜେନା, ଶ୍ରୀଧର ନାହାକ ଓ କାଳିଆ ଓରଫ ଘନଶ୍ୟାମ ବେହେରା ଫେରାର ରହିଛନ୍ତି। ଏମାନେ ବିଭିନ୍ନ ସ୍ଥାନରେ ଏପରି ଲୁଟ୍ପାଟ୍ ରାହାଜାନି ସହ ଆତଙ୍କରାଜ ସୃଷ୍ଟି କରିବରୁ ଏମାନଙ୍କୁ ଧରିବା ଲାଗି ପୋଲିସ ରାତିଦିନ ଏକ କରିଦେଇଛି। ଏହି କୁଖ୍ୟାତ ଅପରାଧୀମାନଙ୍କୁ କେବେ ବି ଛଡ଼ାଯିବ ନାହିଁ। ଏମାନଙ୍କୁ ଧରିବା ଲାଗି ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଦିନରାତି ଚଢ଼ାଉ ଚାଲିଥିବାର ନେଇ ପୁରୁଷୋତ୍ତମପୁର ଏସ୍ଡିପିଓ ସୁଜିତ କୁମାର ନାୟକ ଓ ଆଇଆଇସି କୁଳମଣି ସେଠୀ କହିଛନ୍ତି। ଏହାସହ ଏହି ଅଞ୍ଚଳରେ ରହିଥିବା ପେସାଦାରୀ ଅପରାଧୀଙ୍କ ତାଲିକା ପ୍ରସ୍ତୁତି କରାଯାଇଥିବା ବେଳେ ନୂତନ ଭାବରେ କିଛି ଯୁବକ ଆପରାଧିକ କାର୍ଯ୍ୟରେ ଲିପ୍ତ ରହିଥିବାର ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯାନୁଷ୍ଠାନ ପ୍ରକ୍ରିୟା ଜାରି ରହିଛି। ପୁରୁଷୋତ୍ତମପୁରକୁ ଅପରାଧୀମୁକ୍ତ କରାଯିବା ନେଇ ଆଇଆଇସି ସେଠୀ କହିଛନ୍ତି।