ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୃତ

ବାହାନଗା,୨୭ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ପୋଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରୁଣ୍ଡୁ ମଳିକ(ଅଲିୟାସ ଲକ୍ଷ୍ମୀଧର)ଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଆରୁହାବାଡ଼ ଜାଗେଶ୍ୱରପଦା ଅଞ୍ଚଳରେ ବୋଲି ଜଣାପଡ଼ିଛି। ରୁଣ୍ଡୁଙ୍କ ନାମରେ ପୂର୍ବରୁ ୩୦ରୁ ଊର୍ଦ୍ଧ୍ୱ ଅପରାଧିକ ମାମଲା ରହିଛି। ପୋଲିସ ରୁଣ୍ଡୁକୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ସେ ଆକ୍ରମଣ କରିଥିଲେ। ତେଣୁ ପୋଲିସ ପାଲଟା ଆକ୍ରମଣ କରିଥିଲା। ଫଳରେ ରୁଣ୍ଡୁଙ୍କ ଛାତିରେ ଗୋଟିଏ ଗୁଳି ବାଜିଥିବା ବେଳେ ଡାହାଣ ହାତରେ ଆଉ ଗୋଟିଏ ଗୁଳି ବାଜିଥିଲା। ପରେ ପୋଲିସ କର୍ମଚାରୀ ରୁଣ୍ଡୁଙ୍କୁ ସୋର ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ପୋଲିସର ଏନ୍‌କାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଗୋପାଳପୁର ଫାଣ୍ଡିରେ ଏକ ପ୍ଲାଟୁନ ଫୋର୍ସ ମୁତୟନ ରହିଛି। ସଦର ଡିଏସ୍‌ପି ଅମୂଲ୍ୟ ଧର, ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ, ଆଇଆଇସି ବିମଳ କୁମାର ନାୟକ, ଏସ୍‌ଆଇ ରତିକାନ୍ତ ଦାସ ଉପସ୍ଥିତ ରହି ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।