ଅପରାଧ ପୃଷ୍ଠଭୂମି ଓ ଲୋକପ୍ରତିନିଧି

ନିରଞ୍ଜନ ସାହୁ

କିଛିଦିନ ତଳେ ସିଙ୍ଗାପୁରର ରାଷ୍ଟ୍ରପତି ତାଙ୍କ ଦେଶର ପାର୍ଲାମେଣ୍ଟରେ ଗୋଟିଏ ପ୍ରସଙ୍ଗରେ ଭାଷଣ ଦେଲାବେଳେ କହିଥିଲେ ଯେ ଭାରତର ପାର୍ଲାମେଣ୍ଟରେ ଅଧା ପାଖାପାଖି ସଦସ୍ୟ ହେଉଛନ୍ତି ଦାଗୀ। ଏହା ଉପରେ ଭାରତ ସରକାର କୁଆଡ଼େ କଡ଼ା ଆପତ୍ତି ଜାହିର କରି ସିଙ୍ଗାପୁରର ରାଷ୍ଟ୍ରଦୂତଙ୍କୁ ସମନ କରି ତାଙ୍କର ମତାମତ ଜଣାଇ ଦେଇଛନ୍ତି। ଅନ୍ୟ ଦେଶର ପାର୍ଲାମେଣ୍ଟରେ ଆମ ଦେଶ ସମ୍ପର୍କରେ ଏତାଦୃଶ ମତାମତ ଅବଶ୍ୟ ଅନୁଚିତ। ଆମର ବୈଦେଶିକ ସୂତ୍ରରୁ କୁହାଯାଉଛି ଯେ ଭାରତ କିଛି ଶତ୍ରୁଭାବାପନ୍ନ ଦେଶର ୱେବ୍‌ସାଇଟ୍‌ଗୁଡ଼ିକୁ ବେଆଇନ ଘୋଷଣା କରିବାରୁ ସିଙ୍ଗାପୁରର ଏକ କମ୍ପାନୀ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛି ଏବଂ ସେଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଏପରି ଟିପ୍‌ପଣୀ ତା’ର ଏକ ସ୍ବାଭାବିକ ପ୍ରତିଫଳନ।
ମାତ୍ର ଆଜିର ଆଲୋଚନା ସେ ସମ୍ପର୍କରେ ନୁହେଁ ବରଂ ମୌଳିକ କଥାଟି ଉପରେ ଯେ ଆମ ଦେଶରେ ପାର୍ଲାମେଣ୍ଟ ବା ବିଧାନସଭା/ପରିଷଦକୁ ଯେଉଁମାନେ ନିର୍ବାଚିତ ହୋଇଯାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କ ବିରୋଧରେ ବହୁ ସାଙ୍ଘାତିକ ଅଭିଯୋଗ ରହିଛି। ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଉକ୍ତି ବୈଦେଶିକ ସ୍ବୀକୃତ ନୀତି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ତାହା ସତ, ମାତ୍ର ତାଠାରୁ ଆହୁରି ସତ ହେଉଛି ତାଙ୍କ କଥାର ମଞ୍ଜିଟି। ଅର୍ଥାତ୍‌ ଯେଉଁମାନେ ଆଇନ ଗଢ଼ିବାକୁ ଲୋକଙ୍କ ଦ୍ୱାରା ନିର୍ବାଚିତ, ସେମାନଙ୍କର ବେଆଇନ କାମରେ ଭାରି ଆଗ୍ରହ।
ଦ୍ୱାପର ଯୁଗରେ ପଦେ ମିଛକୁ କୌଶଳରେ ଯୁଧିଷ୍ଠିର କହିଥିଲେ ବୋଲି (ନରେ ବା ଗୁଞ୍ଜରେ ଅଶ୍ୱତ୍‌ଥମା ହତଃ) ତାଙ୍କୁ ନିରଙ୍କୁଶ ସ୍ବର୍ଗଯାତ୍ରାର ଅନୁମତି ଦିଆ ନ ଯାଇ ନର୍କ ବାଟ ଦେଇ ନିଆଯାଇଥିଲା ବୋଲି କୁହାଯାଏ। ଯିଏ ଜୀବନ ସାରା କେବଳ ସତ କହିଥିଲେ, ଥରେ ମାତ୍ର ପରିସ୍ଥିତି ଚାପରେ ପଡ଼ି ଅର୍ଦ୍ଧସତ୍ୟର ସାହାରା ନେଇଥିଲେ, ତାଙ୍କୁ ବି ସଜା ଭୋଗିବାକୁ ପଡ଼ିଥିଲା।
ଆମେ ସମସ୍ତେ ଭାଷଣରେ ସତକୁ ସମର୍ଥନ କରନ୍ତି; ମାତ୍ର ବ୍ୟକ୍ତିଗତ ଜୀବନରେ ସତକୁ ଲୁଚେଇବାକୁ ଚାହୁଁ ‘କାହିଁକି?’ ଯେଉଁ ଲୋକପ୍ରତିନିଧିମାନେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ସେମାନେ କାହିଁକି ଏତେ ଫୌଜଦାରି ମକଦ୍ଦମାରେ ଛନ୍ଦି ହୋଇ ପଡ଼ନ୍ତି? ବିରୋଧୀ ଦଳ ତରଫରୁ କିଛି ଆନ୍ଦୋଳନାତ୍ମକ କାର୍ଯ୍ୟକଳାପ କରାଗଲେ ସରକାରୀ ଦଳ ତରଫରୁ ତାକୁ ବ୍ୟକ୍ତିଗତ ଫୌଜଦାରି ଅପରାଧ ଦର୍ଶାଇ କେସ୍‌ କରାଯାଏ ବୋଲି ସାଧାରଣତଃ ଅଭିଯୋଗ ହୁଏ। ଏପରି ଗୋଟିଏ ସରକାର ବଦଳିଗଲେ ଅନେକ ସମୟରେ କେସ୍‌ଗୁଡ଼ିକ ପ୍ରତ୍ୟାହାର କରିନିଆଯାଏ।
ଫୌଜଦାରି ମକଦ୍ଦମାର ଅନେକ ଧାରା, ଉପଧାରା ଥିଲେ ବି ତା’ ଭିତରୁ ରେପ୍‌, ମର୍ଡର, ଆଟେମ୍ପ୍‌ଟ ଟୁ ମର୍ଡର ଆଦି ଧାରାକୁ ଅଧିକ ସମ୍ବେଦନଶୀଳ ବିଚାର କରାଯାଏ। ଯେଉଁମାନେ ଆଇନ ଖିଲାପି, ସେମାନେ କେବେ ବି ଭଲ ଆଇନ କରିବେ ନାହିଁ, ଏହିପରି ଏକ ଧାରଣା ନେଇ ନ୍ୟାୟପାଳିକାମାନେ ଅନେକ ସମୟରେ ଆପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ଉପରେ ସେମାନଙ୍କର ରୋଷ ଜଣେଇଛନ୍ତି। ଏପରି କି ନିର୍ବାଚନ କମିଶନ ତରଫରୁ ସେମାନଙ୍କୁ ଅନ୍ତତଃ କେତେ କେସ୍‌ ତାଙ୍କ ବିରୋଧରେ ଅଛି, ସେ ବିଷୟରେ ଆଫିଡାଭିଟ୍‌ ଦେବାପାଇଁ ପ୍ରାର୍ଥୀମାନଙ୍କୁ କୁହାଯାଇଥାଏ। ତା ସତ୍ତ୍ୱେ ଅନେକ ଅପରାଧ ପୃଷ୍ଠଭୂମିର ଲୋକ ଆଜିକାଲି ନିର୍ବାଚନ ରଣାଙ୍ଗନକୁ ପଶି ଆସୁଛନ୍ତି। ଅପରାଧ ପୃଷ୍ଠଭୂମିର ବ୍ୟକ୍ତିମାନଙ୍କ ଦ୍ୱାରା ଲୋକମାନଙ୍କୁ ପ୍ରଭାବିତ କରିବା ସହଜ ହୋଇଥିବାରୁ ଏବଂ ସେମାନେ ସାଧାରଣତଃ ଲୋକମତକୁ ପ୍ରଭାବିତ କରିବା ପାଇଁ ଅର୍ଥବଳ ଓ ବାହୁବଳ ଯୋଗାଡ଼ କରିବାକୁ ଅଧିକ ସମର୍ଥ ଥିବାରୁ – ସେଇମାନେ ହିଁ ସବୁ ରାଜନୈତିକ ଦଳର ପ୍ରଥମ ପସନ୍ଦ ପାଲଟନ୍ତି।
ଚଳିତ ଲୋକ ସଭାରେ ୪୩ ପ୍ରତିଶତରୁ ଅଧିକ ସଦସ୍ୟସଦସ୍ୟାଙ୍କ ନାମରେ ସଙ୍ଗିନ ଅପରାଧମାନ ଥିବାବେଳେ ବର୍ତ୍ତମାନ ରାଜ୍ୟ ସଭାର ସଦସ୍ୟମାନଙ୍କ ଭିତରୁ ୨୪ ପ୍ରତିଶତଙ୍କ ନାମରେ ଫୌଜଦାରି ମାମଲା ରହିଛି। ପ୍ରତି ବିଧାନସଭାରେ ମଧ୍ୟ ଦଳ ନିର୍ବିଶେଷରେ ସଦସ୍ୟମାନଙ୍କ ବିରୋଧରେ ଏହିଭଳି ଆପରାଧିକ ମାମଲା ରହିଛି। କୌଣସି ରାଜନୈତିକ ଦଳ ନାହାନ୍ତି ଯିଏକି ଏଇ କଥାକୁ ଗୁରୁତ୍ୱ ଦେଉଛନ୍ତି। ବରଂ ଅପରାଧ ପୃଷ୍ଠଭୂମିର କୌଣସି ନେତା ନିର୍ବାଚନରେ ଜୟଲାଭ କଲା ପରେ ଲୋକମାନେ ତାଙ୍କର ଅପରାଧ ତାଲିକା ଉପରେ ଆଉ ଆଲୋଚନା କରିବାକୁ ଚାହୁଁନାହାନ୍ତି, ତାହା ହେଲା ବିଶେଷ ବିଡ଼ମ୍ବନା। ଯେନତେନ ପ୍ରକାରେ ନିର୍ବାଚନ ବୈତରଣୀ ପାର ହୋଇଗଲେ ସବୁ କାଳିମା କୁଆଡ଼େ ଧୋଇଯାଉଛି ଆଉ ରହିଯାଉଛି ଗୋଟାଏ ସ୍ବଚ୍ଛ ଚେହେରା?
ଦାଗୀ ପ୍ରାର୍ଥୀଙ୍କୁ କିପରି ନିର୍ବାଚନରୁ ଦୂରେଇ ରଖାଯିବ ତାହା ଏତେ ସହଜ ବ୍ୟାପାର ନୁହେଁ। ଅଭିଯୋଗ ଆସିଥିବା ଲୋକଟିକୁ ଦୋଷୀ କୁହାଯାଇପାରିବ ନାହିଁ, ଯେପର୍ଯ୍ୟନ୍ତ ନ୍ୟାୟାଳୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିନାହାନ୍ତି। ନ୍ୟାୟାଳୟରେ ଦୋଷୀ ସାବ୍ୟସ୍ତ ହେବା ଯେପରି ସରଳ ବାକ୍ୟଟିଏ, ସେହିପରି ସରଳ ପ୍ରକ୍ରିୟାଟିଏ ନୁହେଁ କଦାପି। ଗୋଟିଏ କୋର୍ଟରେ ଜଣେ ଦୋଷୀ ସାବ୍ୟସ୍ତ ହେଲେ ତା’ ଉପର କୋର୍ଟକୁ ଯାଏ ନିଜକୁ ଦୋଷମୁକ୍ତ କରିବା ପାଇଁ ଆଉ ଏଇ କ୍ରମରେ ଯାଇ ସୁପ୍ରିମକୋର୍ଟରେ କେସ୍‌ ଫଇସଲା ପର୍ଯ୍ୟନ୍ତ ଯେଉଁ ସମୟ ଲାଗେ ସେତେବେଳ ପର୍ଯ୍ୟନ୍ତ କାହାରି ଧୈର୍ଯ୍ୟ ନ ଥାଏ ଅପେକ୍ଷା କରିବାକୁ। ଏଇ ଗୋଳମାଳିଆ ପରିସ୍ଥିତିରୁ ଭରପୂର ଫାଇଦା ଉଠାନ୍ତି ଆମର ରାଜନୈତିକ ଦଳର ଲୋକମାନେ ଏବଂ ସେମାନଙ୍କ ଦ୍ୱାରା ପ୍ରତିପାଳିତ ଗୋଷ୍ଠୀ।
ତଳ କୋର୍ଟର ରାୟ ଉପର କୋର୍ଟରେ ଷ୍ଟେ ହୋଇଗଲେ ମୁଦାଲା ନିଶରେ ହାତମାରି ବୁଲନ୍ତି। ଉପର କୋର୍ଟରେ ମଧ୍ୟ ଆଇନର ଗଳିକନ୍ଦି ଦେଇ ବର୍ଷ ପରେ ବର୍ଷ ମାମଲା ପଡ଼ିରହେ ଆଇନ ବିଶାରଦଙ୍କ ଜ୍ଞାନଗରିମା ତର୍ଜମା କରୁ କରୁ। ଅନ୍ତତଃ ଉପର କୋର୍ଟ ସାମୟିକ ଆଶ୍ୱସ୍ତି ଦେଇ ପାରନ୍ତି; ମାତ୍ର ତଳ କୋର୍ଟର ଦଣ୍ଡାଦେଶ ଉପର କୋର୍ଟରେ ନାକଚ ନ ହେଲା ପର୍ଯ୍ୟନ୍ତ ସମ୍ପୃକ୍ତ ମୁଦାଲାଙ୍କୁ ସବୁ ସୁଖ ସୁବିଧାରୁ ବଞ୍ଚିତ କରାଯାଉ। ଅନ୍ତତଃ ସରକାରୀ କର୍ମଚାରୀଙ୍କ ଦୁର୍ନୀତି କ୍ଷେତ୍ରରେ ରାଜ୍ୟ ସରକାର ଏଇ ନୀତି ଆପଣେଇବା ଫଳରେ ଆମ ରାଜ୍ୟରେ ଦୁର୍ନୀତିଖୋର୍‌ଙ୍କ ଉପରେ କିଞ୍ଚିତ୍‌ ପ୍ରଭାବ ପଡ଼ୁଛି। ଜଣେ ସାଧାରଣ ଲୋକଙ୍କୁ ପଚାରିଲେ ସେ ନିଶ୍ଚିତ କହିବେ – ସବୁ ଦାଗୀ ପ୍ରତିଯୋଗୀଙ୍କୁ ନିର୍ବାଚନ ପ୍ରତିଯୋଗିତାରୁ ବାସନ୍ଦ କରାଯାଉ; ମାତ୍ର ଏଇ କଥାଟି ସାଧାରଣ ଲୋକଙ୍କୁ ଜଳ ଜଳ ସତ ପରି ଦିଶୁଥିଲେ ବି ରାଜନୈତିକ ଲୋକମାନେ ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ କାହିଁକି?
ରାଜନୈତିକ ଇଚ୍ଛାଶକ୍ତି ଯଦି ଦେଶର ସକାରାତ୍ମକ ଦିଗରେ ନିୟୋଜିତ ହେବ ତା’ହେଲେ ଦେଶ ଯେଉଁ କ୍ଷିପ୍ର ଗତିରେ ଆଗେଇବ, ତାହା ବହୁ ଗୁଣରେ ପଛେଇବ ନକାରାତ୍ମକ ଚିନ୍ତା ଓ କାର୍ଯ୍ୟକ୍ରମରେ। ପ୍ରତି ରାଜନୈତିକ ଦଳ ତରଫରୁ ନିଷ୍ପତ୍ତି ନେବା ଦରକାର ଯେ ସେମାନେ ନିଜ ଦଳର ବ୍ୟକ୍ତି ହେଲେ ବି କୌଣସି ଅପରାଧରେ ସଂପୃକ୍ତ ବ୍ୟକ୍ତିକୁ ଦଳ ତରଫରୁ ସାହାଯ୍ୟ କରିବେ ନାହିଁ। ଏହା ଅସମ୍ଭବ ଲାଗୁଥାଇପାରେ; ମାତ୍ର ସେମାନଙ୍କର ସମଷ୍ଟିଗତ ଚେତନାକୁ ୟେ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ – ଯାହାକୁ ସାରା ଦେଶବାସୀ ଅପେକ୍ଷା କରି ଚାହିଁ ରହିଛନ୍ତି!
ମୋ : ୯୪୩୮୪୮୨୯୧୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri