ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଅପରାଧ ଅନିୟନ୍ତ୍ରିତ ହୋଇପଡ଼ିଛି। ଅପରାଧୀମାନେ ସକ୍ରିୟ ହୋଇ ପଡ଼ିଛନ୍ତି। ପୋଲିସକୁ ମଧ୍ୟ ସେମାନଙ୍କର ଭୟ ନାହିଁ। ରାଜରାସ୍ତାରେ ରାହାଜାନି, ଲୁଟ୍ପାଟ୍ କରୁଛନ୍ତି। କେବଳ ସନ୍ଧ୍ୟା କିମ୍ବା ରାତିରେ ନୁହେଁ, ଦିନ ଦ୍ୱିପ୍ରହରରେ ଏଭଳି ଅପରାଧ ଘଟୁଛି। କଥା ସେତିକିରେ ସରି ନାହିଁ, କାହାକୁ ଭୁଜାଲି, ଛୁରାମାଡ଼ ହେଉଛି ତ ଆଉ କାହାକୁ ମାରପିଟ୍ କରି ଲୁଟ୍ତରାଜ ଚାଲିଛି। ପୋଲିସ୍ ଚିରାଚରିତ ଢଙ୍ଗରେ ରାଜପଥରେ ପାଟ୍ରୋଲିଂ କରୁଛି। କିନ୍ତୁ ତାକୁ ଅପରାଧରଙ୍କ ଖାତିର୍ ନାହିଁ। ଅନ୍ୟପଟେ ସହର ଉପକଣ୍ଠ ରାଜପଥ ସମେତ ବିଭିନ୍ନ ରାସ୍ତାଘାଟରେ ଲୁଟ୍ପାଟ୍ ବଢ଼ିବାରେ ଚାଲିଛି ଏବଂ ଏହାକୁ ନେଇ ଲୋକେ ରାସ୍ତାରେ ଯିବା, ଆସିବା କରିବାକୁ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଗତ କିଛିମାସ ହେଲା ବରଗଡ଼ ଦେଇ ସମ୍ବଲପୁର ପଟକୁ ଯାଇଥିବା ୫୩ନମ୍ବର ଜାତୀୟ ରାଜପଥର ସହର ଉପକଣ୍ଠ ହଲଦୀପାଲି ଛକରୁ ବିକାଶ ଛକ, କଲାପାଣିରୁ ଦନ୍ତା ବ୍ରିଜ, ସୁକୁଟାପାଲିରୁ-ଲାଦରପାଲି, ଅତାବିରାରୁ-ଗୋଡ଼ଭଗା ଆଦି ସ୍ଥାନରେ ଏଭଳି ଅପରାଧୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ସେହିପରି ବରଗଡ଼ରୁ ଭେଡ଼େନ, ଅମ୍ବାଭୋନା, ବରପାଲି, ସୋହେଲାକୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟ ଲୁଟ୍ତରାଜ୍ ବଢ଼ୁଥିବା ଅଭିଯୋଗ ହୋଇଛି। ଏଭଳି ଅପରାଧରେ ସାଧାରଣତଃ ନାବାଳକଙ୍କଠାରୁ ଆରମ୍ଭ କରି ଯୁବକମାନେ ସମ୍ପୃକ୍ତ ଥିବାବେଳେ ନିଶା କାରବାର ତଥା ପୋଲିସ ପାଟ୍ରୋଲିଂ ଅଭାବରୁ ସେଭଳି ଅପରାଧ ବଢୁଥିବା ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଗତ କିଛିମାସ ତଳେ ସହର ଉପକଣ୍ଠ ଘୁଲିପାଲି-ପ୍ରଧାନପାଲି ମଧ୍ୟରେ ରାଜରାସ୍ତାରେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ଭୁଜାଲି ମାଡ଼ ହୋଇଥିଲା। ସେହିପରି କଲାପାଣି ମାର୍କେଟ୍ ନିକଟରେ ରାଜପଥ ପାର୍ଶ୍ୱରେ ଛିଡ଼ା ହୋଇଥିବା ଧାନ ବୋଝେଇ ୫ ଟ୍ରକ୍ରୁ ଦୁର୍ବୃତ୍ତମାନେ ରାତାରାତି ବ୍ୟାଟେରି କାଢ଼ି ନେଇଥିଲେ। ଅତାବିରା ଥାନା ବାବେବିରାରୁ ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମକୁ ଏକ ଦମ୍ପତି ବାଇକ୍ ଯୋଗେ ଫେରୁଥିବାବେଳେ ଦୁର୍ବୃତ୍ତମାନେ ସୁନାଚେନ୍ ଲୁଟି ଫେରାର୍ ହୋଇଯାଇଥିଲେ। ତେବେ ତାକୁ ପୋଲିସ ଏପର୍ଯ୍ୟନ୍ତ ଉଦ୍ଧାର କରି ପାରି ନ ଥିବାବେଳେ ରବିବାର ବିକାଶ ଛକ-ହଳଦୀପାଲି ଛକ ମଝିରେ ଜଣେ ମହିଳା ପିନ୍ଧିଥିବା ସୁନା ଗହଣା ଲୁଟ୍ପାଟ୍ ସହ ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଭୁଜାଲି ମାଡ଼ ହୋଇଛି। ସେ ଗୁରୁତର ହୋଇ ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।