ଆଦିବାସୀଙ୍କୁ ଚିତ୍ରକୋଣ୍ଡା ଏସ୍‌ଡିପିଓ ମାଡ଼ ମାରିବା ଘଟଣା: କ୍ରାଇମ୍‌ବ୍ରାଞ୍ଚ କରିବ ତଦନ୍ତ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅଞ୍ଚଳର ଏକ ଗାଁକୁ ଯାଇ ଏସଡିପିଓ ଅଂଶୁମାନ ଦ୍ୱିବେଦୀ ମାଡ଼ ମାରିବା ଘଟଣାକୁ ନେଇ ବୁଧବାର ବିଧାନସଭାରେ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ହଟ୍ଟଗୋଳ ପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବା ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି ।

ବୁଧବାର ଶୂନ୍ୟକାଳରେ ବିରୋଧୀ କଂଗ୍ରେସ ଓ ଭାଜପା ସଦସ୍ୟମାନେ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ। ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଘଟଣାରେ ବିବୃତ୍ତି ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଦ୍ୱିତୀୟାର୍ଦ୍ଧରେ ଗୃହରେ ଅଚଳାବସ୍ଥା ଲାଗି ରହିବା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଉକ୍ତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଘୋଷଣା କରିଛନ୍ତି । ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଆଇଜି କରିବେ ବୋଲି କହିଛନ୍ତି ।