ନୂଆଦିଲ୍ଲୀ,୨୨।୧୧: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ତାଙ୍କର ରାଜନୈତିକ ଇନିଂସ ଆରମ୍ଭ କରିବାର ଘୋଷଣା କରିଛନ୍ତି। ସେ ଶନିବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳ ପକ୍ଷରୁ ଜାତୀୟ ଓବିସି (OBC) ମୋର୍ଚ୍ଚାର କାର୍ଯ୍ୟକାରିଣୀରେ ସ୍ଥାନ ଦିଆଯାଇଛି। ତାଙ୍କୁ ସ୍ପେଶାଲ ଇନଭାଇଟି (Special Invitee) କରାଯାଇଛି। ଭାଜପାର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ମୋର୍ଚ୍ଚାରେ କରାଯାଇଥିବା ଅନେକ ନୂଆ ନିଯୁକ୍ତି ଅନ୍ତର୍ଗତ ଚହଲଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଏହା ପୂର୍ୱରୁ ୟୁଜବେନ୍ଦ୍ର ଚହଲ ଓବିସି ମୋର୍ଚ୍ଚାର ଅଧ୍ୟକ୍ଷ ଅମରପାଲ ମୌର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ।
ୟୁଜବେନ୍ଦ୍ର ଚହଲଙ୍କ ବ୍ୟତୀତ ମଧ୍ୟ ଭାଜପା ଅନ୍ୟ ପଛୁଆ ବର୍ଗ ମୋର୍ଚ୍ଚାର ଜାତୀୟ ପଦାଧିକାରୀମାନଙ୍କର ନିଯୁକ୍ତି କରିଛି। ଆସାମରୁ ଜୋଗେନ ମୋହନ, ଓଡ଼ିଶାରୁ ମମତା ମହାନ୍ତ, ଉତ୍ତର ପ୍ରଦେଶରୁ ସଙ୍ଗମ ଲାଲ ଗୁପ୍ତା, ମହାରାଷ୍ଟ୍ରରୁ ବବନରାଓ ରାଓଜୀ ଚୌଧୁରୀ, ଦିଲ୍ଲୀରୁ ସତପ୍ରକାଶ ରାଣା, ବିହାରରୁ ଅର୍ଜୁନ ସାହନୀ ଏବଂ ଉତ୍ତର ପ୍ରଦେଶରୁ ସଙ୍ଗୀତା ବଳବନ୍ତ ବିନ୍ଦଙ୍କୁ ମୋର୍ଚ୍ଚାର ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି।
ସେହିପରି, ଦିଲ୍ଲୀରୁ ଗଜେନ୍ଦ୍ର ଯାଦବ, କର୍ଣ୍ଣାଟକରୁ ପ୍ରମୋଦ ମଧ୍ୱରାଜ ଏବଂ ଛତିଶଗଡ଼ରୁ ଲଳିତ ଚନ୍ଦ୍ରାକରଙ୍କୁ ବିଜେପି ଓବିସି ମୋର୍ଚ୍ଚାର ଜାତୀୟ ମହାସଚିବ କରାଯାଇଛି। ବିଜେପି ବିଭିନ୍ନ ରାଜ୍ୟରୁ ମୋର୍ଚ୍ଚାର ସାତଜଣ ନୂଆ ଜାତୀୟ ସଚିବ ଏବଂ ୩୭ ଜଣ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ନିଯୁକ୍ତ କରିଛି।
ଗୁଜରାଟରୁ ଦଶରଥଜୀ ଠାକୋର, ତାମିଲନାଡୁରୁ ଟି. ବରଥରାଜନ, ଝାଡ଼ଖଣ୍ଡରୁ ସଞ୍ଜୀବ କୁମାର, ହରିୟାଣାରୁ ସରିତା ଜାଙ୍ଗିଡ଼, ତେଲେଙ୍ଗାନାରୁ କଦାଗାଞ୍ଚୀ ରମେଶ, ମଧ୍ୟ ପ୍ରଦେଶରୁ ବୈଭବ ପୱାର ଏବଂ ବିହାରରୁ ଭୀମ କୁମାର ସାହୁଙ୍କୁ ମୋର୍ଚ୍ଚାର ଜାତୀୟ ସଚିବ କରାଯାଇଛି।
ସୂଚନାଯୋଗ୍ୟ ଯେ, ୟୁଜବେନ୍ଦ୍ର ଚହଲ ଭାରତର ଜଣେ ଅଭିଜ୍ଞ ଲେଗ ସ୍ପିନ ବୋଲର ଅଟନ୍ତି। ତାଙ୍କର ଜନ୍ମ ୨୩ ଜୁଲାଇ ୧୯୯୦ରେ ହରିୟାଣାର ଜିନ୍ଦଠାରେ ହୋଇଥିଲା। କ୍ରିକେଟକୁ ଆସିବା ପୂର୍ୱରୁ ଚହଲ ଚେସରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିସାରିଛନ୍ତି। ସେ ୧୧ ଜୁନ ୨୦୧୬ରେ ଜିମ୍ୱାୱେ ବିପକ୍ଷରେ ଦିନିକିଆ କ୍ରିକେଟରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ, ଯେତେବେଳେ କି ଏହି ଗସ୍ତରେ ହିଁ ଟି-୨୦ ଅନ୍ତର୍ଜାତୀୟରେ ମଧ୍ୟ ପଦାର୍ପଣ କରିଥିଲେ। ଚହଲ ଭାରତ ପାଇଁ ୭୨ଟି ଦିନିକିଆ ମ୍ୟାଚରେ ୧୨୧ ୱିକେଟ ଏବଂ ୮୦ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୯୬ ୱିକେଟ ହାସଲ କରିଛନ୍ତି।
ସେହିପରି, ଟି-୨୦ ଅନ୍ତର୍ଜାତୀୟରେ ଭାରତ ପକ୍ଷରୁ ୬ ୱିକେଟ ନେଇଥିବା ପ୍ରଥମ ବୋଲର ମଧ୍ୟ ହୋଇଥିଲେ। ଆଇପିଏଲରେ ସେ ମୁମ୍ୱାଇ ଇଣ୍ଡିଆନ୍ସରୁ ଆରମ୍ଭ କରିଥିଲେ, କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳି ନିଜର ଏକ ସୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହା ପରେ ସେ ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସର ଅଂଶ ହୋଇଥିଲେ। ଆଇପିଏଲରେ ତାଙ୍କ ନାମରେ ୧୮୮ଟି ମ୍ୟାଚରେ ୨୩୩ ୱିକେଟ ରହିଛି। ସେ ଆଇପିଏଲ ଇତିହାସରେ ସର୍ୱାଧିକ ୱିକେଟ ନେଇଥିବା ବୋଲର ଅଟନ୍ତି ଏବଂ ୨୦୨୨ରେ ପର୍ପଲ କ୍ୟାପ ମଧ୍ୟ ଜିତିସାରିଛନ୍ତି। ଅକ୍ଟୋବର ୨୦୨୬ରେ ସେ ଫାଷ୍ଟ କ୍ଲାସ କ୍ରିକେଟରୁ ଅବସର ନେବାର ଘୋଷଣା କରିଥିଲେ, ଯଦିଓ ଦିନିକିଆ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିବାର ଆଶା ବଜାୟ ରଖିଛନ୍ତି।