Categories: ଖେଳ

ଆଇପିଏଲ୍‌ରେ ରନ୍‌ ବର୍ଷା: ଦିଲ୍ଲୀ ଆଗରେ ପାହାଡ଼ ଭଳି ୨୭୩ ରନ୍‌ ଟାର୍ଗେଟ୍‌ ଛିଡ଼ା କଲା କୋଲକାତା

ବିଶାଖାପାଟଣା,୩।୪: ଇଣ୍ଡିଆ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ୧୬ତମ ମ୍ୟାଚ୍‌ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ବିଶାଖାପାଟଣାରେ ଜାରି ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ବ୍ୟାଟ୍ସମ୍ୟାନ୍‌ ମାନେ ବିସ୍ଫୋରକ ବ୍ୟାଟିଂ କରି ଐତିହାସିକ ସ୍କୋର ଛିଡ଼ା କରିଛନ୍ତି। ୨୦ ଓଭରରେ ଦଳ ୭ ଉଇକେଟ ହରାଇ ୨୭୨ ରନ୍‌ କରିଛି। ଫଳରେ ଦିଲ୍ଲୀକୁ ୨୭୩ ରନ୍‌ର ବିଶାଳ ଟାର୍ଗେଟ ମିଳିଛି। ଦଳ ପକ୍ଷରୁ ସୁନୀଲ ନରେନ୍‌ ୩୯ ବଲ୍‌ରେ ୮୫ ରନ୍‌ର ଇନିଂସ ଖେଳିଥିଲେ। ସେହିଭଳି ଅଙ୍ଗକ୍ରିଶ ରଘୁବଶିଂ ୨୭ ବଲ୍‌ରେ ୫୪ ରନ୍‌ କରି ଆଇପିଏଲ୍‌ରେ ନିଜର ପ୍ରଥମ ଅର୍ଦ୍ଧଶତକ କରିଥିଲେ।

ଟୁର୍ନାମେଣ୍ଟରେ ଏଯାବତର ପ୍ରଦର୍ଶନ ଦେଖିଲେ କୋଲକାତା ଟିମ୍‌ ଏହି ମ୍ୟାଚ୍‌କୁ ଜିତି ବିଜୟର ହାଟ୍ରିକ ଲଗାଇପାରେ। ଦଳର ଖେଳାଳିଙ୍କ ବ୍ୟାଟିଂ ଦେଖି କିଛି ସେଭଳି ଆଶା କରାଯାଉଛି। ଏଯାବତ ଦଳ ଖେଳିଥିବା ୨ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ପ୍ରଥମେ ସନରାଇଜର୍ସ ହାଇଦ୍ରାବାଦକୁ କେକେଆର୍‌ ୪ ରନ୍‌ରେ ପରାଜିତ କରିଥିଲା। ଏହାପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମଧ୍ୟ ଦଳ ୭ ଉଇକେଟରେ ହରାଇଥିଲା।

Share