ମୁମ୍ବାଇ,୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି। ଟି-୨୦ ବିଶ୍ୱକପ ଇତିହାସରେ ଏହି ଦୁଇ ଦଳ ଷଷ୍ଠ ଥର ପାଇଁ ପରସ୍ପରର ସାମ୍ନା କରୁଛନ୍ତି। ଗୁରୁବାର ଖେଳାଯାଉଥିବା ଏହି ମୁକାବିଲାରେ ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି।
ପୂର୍ବରୁ ହୋଇଥିବା ୫ଟି ମୁକାବିଲାରେ ଭାରତ ୩-୨ ବ୍ୟବଧାନରେ ଇଂଲଣ୍ଡଠାରୁ ଆଗରେ ଅଛି। ଅର୍ଥାତ ୫ ମ୍ୟାଚ ମଧ୍ୟରୁ ଭାରତ ୩ଟିରେ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ୨ଟି ମ୍ୟାଚ ଜିତିବାରେ ସଫଳ ହୋଇଛି। ମୁମ୍ବାଇର ଐତିହାସିକ ୱାଙ୍ଖେଡ଼େ ଷ୍ଟାଡିୟମରେ ଏହି ଦ୍ୱିତୀୟ ସେମିଫାଇନାଲ ଖେଳାଯାଉଛି। ଉଭୟ ଦଳ ପାଇଁ ଏହି ମ୍ୟାଚ ଜିତିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। କାରଣ ଏହାକୁ ହାରିବା ଦଳର ବିଶ୍ୱକପ ଅଭିଯାନ ଶେଷ ହେବ ଏବଂ ଜିତିଲେ ସିଧା ଫାଇନାଲ ଟିକେଟ ମିଳିବ। ଏହି ମ୍ୟାଚ୍ର ବିଜେତା ଦଳ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।
ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ-ଇଂଲଣ୍ଡ ତୃତୀୟ ଥର ପାଇଁ ମୁହାଁମୁହିଁ ହେଉଛନ୍ତି। ୨୦୨୨ ବିଶ୍ୱକପରେ ଇଂଲଣ୍ଡ ୧୦ ଉଇକେଟରେ ଭାରତକୁ ପରାସ୍ତ କରିଥିଲା। ସେହିଭଳି ୨୦୨୪ ବିଶ୍ୱକପରେ ଭାରତ ପ୍ରତିଶୋଧ ନେଇ ଇଂଲଣ୍ଡକୁ ହରାଇଥିଲା।
ତେବେ ଏହି ଦୁଇ ଦଳ ମଧ୍ୟରେ ଏକ ଅଜବ ସଂଯୋଗ ରହିଛି। ବିଶ୍ୱକପ୍ରେ କୌଣସି ବି ଦଳ ପରସ୍ପର ବିରୋଧରେ ଲଗାତାର ଦୁଇଟି ମ୍ୟାଚ ଜିତିପାରି ନାହାନ୍ତି। ଗୋଟିଏ ମ୍ୟାଚ ଭାରତ ଜିତିଲେ ପରବର୍ତ୍ତୀ ମ୍ୟାଚ ଇଂଲଣ୍ଡ ଜିତୁଛି। ଯେହେତୁ ଗତ ମୁକାବିଲାରେ ଭାରତ ଜିତିଥିଲା, ତେଣୁ ଏହି ପରମ୍ପରାକୁ ଭାଙ୍ଗି ପୁଣିଥରେ ବିଜୟୀ ହେବା ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।
ଇଂଲଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ:(Playing XI)
ଫିଲ୍ ସଲ୍ଟ, ଜୋସ୍ ବଟଲର୍, ହ୍ୟାରି ବ୍ରୁକ୍ (ଅଧିନାୟକ), ଜାକବ୍ ବେଥେଲ୍, ଟମ୍ ବାଣ୍ଟନ୍, ସାମ୍ କରନ୍, ୱିଲ୍ ଜାକ୍ସ, ଜେମି ଓଭରଟନ୍, ଲାୟମ୍ ଡସନ୍, ଜୋଫ୍ରା ଆର୍ଚର୍, ଆଦିଲ୍ ରଶିଦ୍।
ଭାରତର ପ୍ଲେଇଙ୍ଗ୍ ଇଲେଭେନ୍ (Playing XI):
ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ଇଶାନ କିଷାନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଜସପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ।

