ଐତିହାସିକ କମାଲ କଲେ ଏହି ୪୧ ବର୍ଷୀୟ ଖେଳାଳି: ୧୦୦ ବର୍ଷ ପରେ ପ୍ରଥମ ଥର ଟେଷ୍ଟରେ ଘଟିଲା ଏମିତି… ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୯।୧୧: ଟେଷ୍ଟ କ୍ରିକେଟରେ ଏବେ ଲଗାତାର ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି। ବର୍ତ୍ତମାନ ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଟେଷ୍ଟ ମ୍ୟାଚ ଚାଲିଥିବା ବେଳେ ଜିମ୍ବାୱେ ଦଳର ଅଭିଜ୍ଞ ବ୍ୟାଟର କ୍ରେଗ ଏରଭିନ ନିଜ ଦମଦାର ବ୍ୟାଟିଂ ବଳରେ ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି। ସେ ଏଭଳି ଏକ ରେକର୍ଡ ନିଜ ନାମରେ କରିଛନ୍ତି, ଯାହା ବିଷୟରେ ହୁଏତ କେହି କଳ୍ପନା ମଧ୍ୟ କରିନଥିବେ। ଗତ ୧୦୦ ବର୍ଷ ମଧ୍ୟରେ ଟେଷ୍ଟ କ୍ରିକେଟରେ ଦ୍ୱିଶତକ ହାସଲ କରିଥିବା ସେ ସବୁଠାରୁ ବୟସ୍କ ବ୍ୟାଟର ହୋଇଛନ୍ତି। ନିଜ କ୍ୟାରିୟରରେ ଏହି ବଡ଼ ଉପଲବ୍ଧି ହାସଲ କରି ଏରଭିନ ଇତିହାସ ରଚିଛନ୍ତି।

ଆପଣଙ୍କୁ ଜଣାଇଦେଉଛୁ ଯେ, ଟେଷ୍ଟ କ୍ରିକେଟରେ ଏରଭିନଙ୍କ ଠାରୁ ଅଧିକ ବୟସରେ ଦ୍ୱିଶତକ ହାସଲ କରିଥିବା ମାତ୍ର ଦୁଇଜଣ ବ୍ୟାଟର ଅଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଏରିକ ରୋୱାନ ରହିଛନ୍ତି। ସେ ୪୨ ବର୍ଷ ୬ ଦିନ ବୟସରେ ଇଂଲଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ। ୨୬ ଜୁଲାଇ ୧୯୫୧ରେ ସେ ଏହି ଉପଲବ୍ଧି ହାସଲ କରିଥିଲେ। ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡର ଜ୍ୟାକ ହବ୍ସ ଅଛନ୍ତି। ସେ ୪୧ ବର୍ଷ ୧୯୫ ଦିନ ବୟସରେ ୧୯୨୪ ମସିହାରେ ଦ୍ୱିଶତକ ହାସଲ କରିଥିଲେ। ଏବେ ୪୧ ବର୍ଷ ୮୨ ଦିନ ବୟସରେ ଏରଭିନ ଏହି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଗତ କିଛି ସମୟ ଧରି ସେ ଟେଷ୍ଟ କ୍ରିକେଟରେ ନିଜର ଉତ୍କୃଷ୍ଟ ବ୍ୟାଟିଂ ଜରିଆରେ ଅନେକ ରେକର୍ଡ ସୃଷ୍ଟି କରିଆସୁଛନ୍ତି।

ଟେଷ୍ଟ ମ୍ୟାଚର ପଞ୍ଚମ ଦିନରେ କ୍ରେଗ ଏରଭିନ ବେଶ ଦ୍ରୁତ ଗତିରେ ବ୍ୟାଟିଂ କରିଥିଲେ। ସେ ୧୬୧ ବଲରେ ନିଜର ଶତକ ପୂରଣ କରିଥିଲେ। ଏହାପରେ ୨୭୫ ବଲରେ ଦ୍ୱିଶତକ ହାସଲ କରିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଦ୍ୱିଶତକ। ତେବେ ଶାରଜାହ ଟେଷ୍ଟରେ ଜିମ୍ବାୱେ ଦଳ ମଧ୍ୟ ଜବରଦସ୍ତ ରନ ସଂଗ୍ରହ କରିଛି। ଉଭୟ ଦଳ ମଧ୍ୟରେ ଖେଳ ଡ୍ର’ରେ ଶେଷ ହୋଇଛି। ଏହି ମ୍ୟାଚରେ ମୋଟ ତିନୋଟି ଇନିଂସ ଖେଳାଯାଇଥିବା ବେଳେ ପ୍ରତ୍ୟେକ ଇନିଂସରେ ୫୦୦ରୁ ଅଧିକ ରନ ସଂଗ୍ରହ ହୋଇଥିଲା।

ପ୍ରଥମ ଇନିଂସରେ ଜିମ୍ବାୱେ ଦଳ ୫୦୪ ରନ କରିଥିଲା। ବ୍ରେଣ୍ଡନ ଟେଲର ୧୩୧ ଏବଂ ଅଧିନାୟକ ବ୍ରାଏନ ବେନେଟ ୧୨୮ ରନର ଚମତ୍କାର ଇନିଂସ ଖେଳିଥିଲେ। ଏହାର ଜବାବରେ ଆଫଗାନିସ୍ତାନ ମଧ୍ୟ ପ୍ରଥମ ଇନିଂସରେ ୫୧୪ ରନ କରିଥିଲା। ଆଫଗାନିସ୍ତାନ ପକ୍ଷରୁ ସେଦିକୁଲ୍ଲା ଅଟଲ ୧୦୫ ଏବଂ ରହମାନୁଲ୍ଲା ୧୧୩ ରନ କରିଥିଲେ। ଅଧିନାୟକ ରହମତ ଶାହା ମଧ୍ୟ ଚମତ୍କାର ବ୍ୟାଟିଂ କରି ୧୭୩ ରନ୍ର ଇନିଂସ ଖେଳିଥିଲେ।

ଦ୍ୱିତୀୟ ଇନିଂସରେ ଜିମ୍ବାୱେ ୫୨୩ ରନ କରିଥିଲା। ଏହି ଇନିଂସରେ କ୍ରେଗ ଏରଭିନ ୨୦୬ ରନ କରି ଅପରାଜିତ ରହିଥିଲେ। ତାଙ୍କ ବ୍ୟତୀତ ୱେସଲି ମାଧେଭେରେ ମଧ୍ୟ ୧୦୦ ରନ କରି ଅପରାଜିତ ଥିଲେ।

Dharitri – Odisha’s No.1 Odia Daily

 

Share
Tags: craig ervine