Categories: ଗଞ୍ଜାମ

ପଥର ବ୍ଲାଷ୍ଟିଂରୁ ଘରେ ଫାଟ, ପ୍ରତିକାର ଦାବି

ହିଞ୍ଜିଳିକାଟୁ,୮ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ସାହପୁର ପଞ୍ଚାୟତ ଅନ୍ତର୍ଗତ ହନ୍ତସ ଗ୍ରାମ ନିକଟସ୍ଥ ଖୋଳ ପାହାଡ଼ରୁ ବିପଜ୍ଜନକ ଭାବେ ପଥର ଫୁଟାଇବା ଫଳରେ ସ୍ଥାନୀୟ ଜନସାଧାରଣଙ୍କ ଜୀବନ ବିପଦାପନ୍ନ ହେଉଥିବା ସହ ପାହାଡ଼ ନିକଟସ୍ଥ ଘରର କାନ୍ଥ ଫାଟିଥିବା ଅଭିଯୋଗ ହୋଇଛି। ଜନସାଧାରଣଙ୍କ ଜୀବନ ସଙ୍କଟାପନ୍ନ ଅବସ୍ଥାରେ ଥିବାରୁ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ହିଞ୍ଜିଳିର ପୂର୍ବତନ ବିଧାୟକ ଉଦୟନାଥ ନାୟକ ଦାବି କରିଛନ୍ତି। ଜନସାଧାରଣଙ୍କ ଦାବିକୁ ଜିଲା ପ୍ରଶାସନ ନିକଟରେ ଜଣାଇଥିବା ପୂର୍ବତନ ବିଧାୟକ ନାୟକ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ବରୁ ଗ୍ରାମର ଜନସାଧାରଣ ଗତ ମାସ ୨୩ରେ ବିପଜ୍ଜନକ ଭାବେ ପଥର ଫଟାଇବା ବନ୍ଦ କରିବା ଦାବିରେ ସ୍ଥାନୀୟ ଜନପ୍ରତିନିଧି ଏବଂ ହିଞ୍ଜିଳିକାଟୁ ତହସିଲଦାରଙ୍କୁ ଜଣାଇଥିଲେ। ତେବେ ଜନସାଧାରଣଙ୍କ ଦାବି ପୂରଣ ନ ହେବାରୁ ସେମାନେ ପୂର୍ବତନ ବିଧାୟକଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ବିଧାୟକ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଦୀର୍ଘଦିନ ଧରି ଜନସାଧାରଣଙ୍କ ଦାବି ପ୍ରତି ପ୍ରଶାସନିକସ୍ତରରେ ଆଶସନା ପ୍ରଦାନ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ ବୋଲି ନାୟକ ଅଭିଯୋଗ କହିଛନ୍ତି। ଗଞ୍ଜାମ ଜିଲାପାଳଙ୍କୁ ସେ ଏହି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିବା କହିଛନ୍ତି।