କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି ଏକ ମାମଲାର ଜାମିନ (ବେଲ୍) ସମ୍ପର୍କିତ କାର୍ଯ୍ୟ ସାରି ଲାଞ୍ଜିଗଡ଼ରୁ ଫେରୁଥିବା ବେଳେ ସ୍ଥାନୀୟ ବଜାର ନିକଟରୁ ରାୟଗଡ଼ା ପୋଲିସ ତାଙ୍କୁ ଉଠାଇ ନେଇଥିଲା। ଚାରିଟି ବୋଲେରୋ ଗାଡ଼ି ଯୋଗେ ତାଙ୍କୁ କଲ୍ୟାଣସିଂହପୁର ଥାନା ଦେଇ ରାୟଗଡ଼ା ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ନିଆଯାଇଥିବା ଜଣାପଡ଼ିଛି।
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତ ଅନ୍ତର୍ଗତ ଲାଖପଦର ଗ୍ରାମର ବାସିନ୍ଦା ଲୋଦ ସିକାକା ଦୀର୍ଘ ବର୍ଷ ଧରି ନିୟମଗିରି ପାହାଡ଼ ସୁରକ୍ଷା ତଥା ବେଦାନ୍ତ ଆଲୁମିନା କମ୍ପାନୀ ବିରୋଧରେ ଚାଲିଥିବା ଜନଆନ୍ଦୋଳନର ନେତୃତ୍ୱ ନେଇ ଆସୁଛନ୍ତି। ତାଙ୍କ ନାମରେ ରାୟଗଡ଼ା ଓ କଳାହାଣ୍ଡି ଜିଲାରେ ଏକାଧିକ ମାମଲା ରହିଛି। ବିଶେଷ କରି ୨୦୧୭ ମସିହାର ସିଟି କେସ୍ ନମ୍ବର ୩୪୯/୨୦୧୭ ରେ ଆଇପିସିର ବିଭିନ୍ନ ଧାରା ସମେତ Cr.L.A. ଆଇନର ଧାରା ୭ ଅଧୀନରେ ମାମଲା ରୁଜୁ ହୋଇଛି।
ପୂର୍ବରୁ ଜାରି ହୋଇଥିବା ଗିରଫ ପରୱାନା ସତ୍ତ୍ୱେ ସେ ଧରାପଡ଼ି ନଥିବାରୁ, ଲାଞ୍ଜିଗଡ଼ ଜେଏମଏଫସି (JMFC) କୋର୍ଟ ଧାରା ୮୨ ଅନୁଯାୟୀ ଘୋଷଣାନାମା ଜାରି କରିଥିଲେ। ଏଥିସହ ସିଆରପିସି ଧାରା ୮୩ ଅନୁଯାୟୀ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ କଲ୍ୟାଣସିଂହପୁର ଥାନା ଅଧିକାରୀ ଓ ରାୟଗଡ଼ା ଏସପିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ଏହି ଘଟଣା ସମ୍ପର୍କରେ ସତ୍ୟାସତ୍ୟ ଜାଣିବା ପାଇଁ ରାୟଗଡ଼ା ଏସପିଙ୍କ ସହ ଟେଲିଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ ନ ଉଠାଇବାରୁ ପୋଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରି ନାହିଁ।