ଗୋଚର ଜମି ଜବରଦଖଲ ଉପରେ ପ୍ରଶାସନର ଛାଟ: ‘ପ୍ରବେଶ ନିଷେଧ’ ବୋର୍ଡ ଲଗାଇଲା ରାଜସ୍ୱ ବିଭାଗ

କର୍ଲାମୁଣ୍ଡା, ୧୪।୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ଥିବା ସରକାରୀ ଗୋଚର ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଉକ୍ତ ଗ୍ରାମରେ ଥିବା ଗୋଚର ଜମିକୁ କିଛି ବ୍ୟକ୍ତି ଦୀର୍ଘଦିନ ଧରି ବେଆଇନ ଭାବେ ଜବରଦଖଲ କରି ଚାଷବାସ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏନେଇ ରେଗଡ଼ା ଗ୍ରାମର ଝସକେତନ ଚୌଧୁରୀଙ୍କ ସମେତ ଗ୍ରାମବାସୀମାନେ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୂର୍ବରୁ ରାଜସ୍ୱ ବିଭାଗ ପକ୍ଷରୁ ଉକ୍ତ ଜମିକୁ ଚିହ୍ନଟ କରାଯିବା ସହ ସେଠାରେ ଲାଲ ପତାକା ଲଗାଯାଇଥିଲା। ତେବେ ପ୍ରଶାସନର ଏହି ସତର୍କତା ସତ୍ତ୍ୱେ କିଛି ଅମାନିଆ ବ୍ୟକ୍ତି ଉକ୍ତ ଗୋଚର ଜମିରେ ପୁନର୍ବାର ଚାଷ କରୁଥିବା ଦେଖିବାକୁ ମିଳିଥିଲା। ଘଟଣାକୁ ଗୁରୁତର ସହ ନେଇ ଶନିବାର ରାଜସ୍ୱ ବିଭାଗ ପକ୍ଷରୁ ସମ୍ପୃକ୍ତ ଜମି ଭିତରକୁ ‘ପ୍ରବେଶ ନିଷେଧ’ ଲେଖାଥିବା ଏକ ସତର୍କ ସୂଚନା ବୋର୍ଡ ଲଗାଯାଇଛି। ସରକାରୀ ଗୋଚର ଜମିର ସୁରକ୍ଷା ଏବଂ ଜବରଦଖଲ ରୋକିବା ପାଇଁ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କର୍ଲାମୁଣ୍ଡା ତହସିଲଦାର ଅରୁଣ କୁମାର ବର୍ଗେ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share