ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନର ୧୫ଦିନ ପରେ କାନ୍ଥରେ ଫାଟ

ସାଲେପୁର,୨୯।୯ (ଡି.ଏନ୍‌.ଏ.): ଉଦ୍‌ଘାଟନର ୧୫ ଦିନ ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବାଥରୁମ୍‌ରେ ଲାଗିଥିବା ଟ୍ୟାପ୍‌ରୁ ପାଣି ବାହାରୁ ନାହିଁ। ଇନଭର୍ଟର କାମ କରୁନାହିଁ ତ ଟାଇଲ ଉଠିଗଲାଣି। ଏପରି ଦେଖିବାକୁ ମିଳିଛି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ପୂର୍ତ୍ତ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ସ୍ବାସ୍ଥ୍ୟକେନ୍ଦ୍ର। ଗତ ୧୫ ତାରିଖରେ ଉଦ୍‌ଘାଟିତ ହୋଇଥିଲା। ଉଦଘାଟନର ୧୫ ଦିନ ପରେ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ଏପରି ହୋଇଛି। ଏଠାରେ ଲାଗିଥିବା ଇନ୍‌ଭର୍ଟର ରୋଗୀ କିମ୍ବା ମେଡ଼ିକାଲ କର୍ମଚାରୀଙ୍କ କାର୍ଯ୍ୟରେ ଲାଗୁନାହିଁ। ଲାଇନ୍‌ ଗଲେ ଇନ୍‌ଭର୍ଟର ଥାଇ ମଧ୍ୟ ଅନ୍ଧାରରେ ରହିବାକୁ ପଡ଼ୁଛି। ମେଡ଼ିକାଲ ପରିସରରେ ନିର୍ମାଣ କରାଯାଇଥିବା ରୋଗୀ ପରିଚାରକ ଗୃହର କାନ୍ଥ ଫାଟି ଆଁ କରିଛି। ନୂତନ ଚକ୍ଷୁ ବିଭାଗ କାର୍ଯ୍ୟାଳୟକୁ ରାସ୍ତା ନଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସବୁ ସମସ୍ୟା ନେଇ ଏଠାକୁ ଚିକିତ୍ସିତ ହେବାକୁ ଆସୁଥିବା ରୋଗୀ ଏବଂ ତାଙ୍କର ପରିଚାରକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ତୁରନ୍ତ ଏହାର ସମାଦାନ ପାଇଁ ଅଞ୍ଚଳବାଦୀ ଦାବି କରିଛନ୍ତି।