ମହୁମାଛି ଆକ୍ରମଣରେ ଚାଲିଗଲା ସିପିଏମ୍‌ ନେତାଙ୍କ ଜୀବନ

ନୀଳଗିରି,୧୦ା୫(ସ୍ବ.ପ୍ର.): ମହୁମାଛି ଆକ୍ରମଣରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଗରଡି ପଞ୍ଚାୟତ ବାଙ୍କିସାହି ଗ୍ରାମର ବରିଷ୍ଠ ସିପିଏମ୍‌ ନେତା ରାମଚନ୍ଦ୍ର ସ(୭୨) ବୁଧବାର ପ୍ରାଣ ହରାଇଛନ୍ତି। ଏଥିରେ ତାଙ୍କ ନାତି ମଧ୍ୟ ଆହତ ହୋଇଛନ୍ତି।

ରାମଚନ୍ଦ୍ର ଆଜି ବାଡ଼ି ସଫା କରୁଥିବା ବେଳେ ଅଳିଆ ସବୁକୁ ଗୋଟିଏ ଜାଗାରେ ଏକାଠି କରି ନିଆଁ ଲଗାଇଦେଇଥିଲେ। ଧୂଆଁ ଉପରକୁ ଉଠିବାରୁ ଗଛ ଉପରେ ଥିବା ମହୁମାଛି ଉଡିଆସି ତାଙ୍କୁ ଆକ୍ରମଣ କରିଥିଲେ। ତଳେ ପଡି ରାମଚନ୍ଦ୍ର ଛଟପଟ ହୋଇ ଡାକୁଥିବା ବେଳେ ତାଙ୍କ ନାତି ଦୌଡ଼ି ଆସିବାରୁ ତାଙ୍କୁ ମଧ୍ୟ ମହୁମାଛି ଆକ୍ରମଣ କରିଥିଲା।

ନାତି ସେଠାରୁ ଦୌଡି ଆସି ପରିବାର ଲୋକଙ୍କୁ ଘଟଣା ସଂକ୍ରାନ୍ତରେ କହିଥିଲେ। ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବରହମପୁର ଡାକ୍ତରଖାନା ନେଇଥିଲେ। ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ନୀଳଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ରାମଚନ୍ଦ୍ରଙ୍କ ମରଶରୀରକୁ ନୀଳଗିରି ସିପିଏମ୍‌ କାର୍ଯ୍ୟାଳୟକୁ ନିଆଯାଇ ଥିଲା। ସେଠାରେ ବହୁ କର୍ମକର୍ତ୍ତା ତାଙ୍କୁ ଶେଷ ଦର୍ଶନ କରିଥିଲେ। ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସିପିଏମ ନେତା ବିଜୟ ପାତ୍ର, ଯୋଗାନନ୍ଦ ଦାସ, ଜ୍ୟୋତିର୍ମୟୀ ରାଉତ ଓ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ପ୍ରମୁଖ ଶେଷ ଦର୍ଶନ କରି ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଗାଁରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା।