ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଦୁର୍ଦ୍ଦଶା ଓ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ବିପନ୍ନଙ୍କୁ ତୁରନ୍ତ ରିଲିଫ ଓ ଆର୍ଥିକ ସହାୟତା ଯୋଗାଇଦେବାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଗଞ୍ଜାମ ଜିଲା କମିଟି ଦାବି କରିଛି।
ଏନେଇ ରବିବାର ଜିଲା ସମ୍ପାଦକ ଶ୍ରୀହର୍ଷ ରଥ ଓ ସହ-ସମ୍ପାଦକ ନୀଳକଣ୍ଠ ଦାଶଙ୍କ ନେତୃତ୍ୱରେ ଏକ ଜିଲାସ୍ତରୀୟ ପ୍ରତିନିଧି ଦଳ ଜିଲାପାଳ ଏବଂ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ସହ ଆଲୋଚନା କରି ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।
ସିପିଆଇ ପ୍ରତିନିଧି ଦଳ ଗତ ଦୁଇଦିନ ଧରି ଜିଲାର ବିଭିନ୍ନ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ବିପନ୍ନ ଲୋକଙ୍କ ସମସ୍ୟା, ଚାଷଜମିର କ୍ଷୟକ୍ଷତି ଓ ଅନ୍ୟାନ୍ୟ କ୍ଷତି ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇଥିଲା। ପରେ ସ୍ଥିତି ସମ୍ପର୍କରେ ଜିଲା ପ୍ରଶାସନଙ୍କୁ ଅବଗତ କରାଯାଇଥିଲା।
ବନ୍ୟାଘେରରେ ରହିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ଯୋଗାଯୋଗ ଓ ଯାତାୟାତ ବ୍ୟବସ୍ଥା ସ୍ବାଭାବିକ କରିବାକୁ ସିପିଆଇ ଦାବି କରିଛି। ପରିସ୍ଥିତି ସମ୍ପୂର୍ଣ୍ଣ ସୁଧାରିବା ପର୍ଯ୍ୟନ୍ତ ବିପନ୍ନ ପରିବାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ, ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ସ୍ବାସ୍ଥ୍ୟସେବା ଯୋଗାଇବା ସହ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦଳ ଦାବି କରିଛି।
ସେହିପରି ବାତ୍ୟା ଓ ବନ୍ୟା ଯୋଗୁ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଚାଷୀଙ୍କ ଉପସ୍ଥିତିରେ କ୍ଷୟକ୍ଷତିର ସଠିକ ଆକଳନ କରି ତୁରନ୍ତ ଫସଲ ବୀମା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି। କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ମଧ୍ୟ ସରକାରୀ ସହାୟତା ଦେବା, ପ୍ରଭାବିତ ଅଞ୍ଚଳରେ ରାସ୍ତାଘାଟ ମରାମତି କରିବା ଏବଂ ବିଦ୍ୟୁତ ସଂଯୋଗକୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ବାଭାବିକ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।
ଏଥିସହ ଗଞ୍ଜାମ ଜିଲାରେ ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ମୂଳ କାରଣ ଅନୁଧ୍ୟାନ କରି ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର ମୁକାବିଲା ଓ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ସ୍ଥାୟୀ ଓ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ ସିପିଆଇ ଦାବି କରିଛି।
ବିପତ୍ତି ସମୟରେ ପ୍ରଶାସନକୁ ସହଯୋଗ କରିବା ପାଇଁ ସିପିଆଇର କର୍ମୀମାନେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ପ୍ରତିନିଧି ଦଳ ଜଣାଇଛି। ତେବେ ଦାବିଗୁଡ଼ିକ ପୂରଣରେ ସରକାର କିମ୍ବା ପ୍ରଶାସନ ଅବହେଳା କଲେ ଆଗାମୀ ଦିନରେ ସମଗ୍ର ଗଞ୍ଜାମ ଜିଲାରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସିପିଆଇ ପକ୍ଷରୁ ଚେତାବନୀ ଦିଆଯାଇଛି।
ଏହି ଆଲୋଚନା ଏବଂ ଗତ ସମୟରେ ଜିଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ପ୍ରକାଶ ପାତ୍ର, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ସିଏଚ୍. ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ଏସ୍. କ୍ରିଷ୍ଣା ରେଡ୍ଡୀ, ପୀତବାସ ମହାପାତ୍ର, ହରପ୍ରସାଦ ଆଚାରୀ, ବିଦେଶୀ ନାହାକ, କୈଳାସ ପାତ୍ର ଓ ଅନ୍ତର୍ଯ୍ୟାମୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।