ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ ବଢୁଛି। ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା ଓ ରାଜ୍ୟ ବାହାରକୁ ଗୋ’ଚାଲାଣ ହେଉଛି। ଏଥିସହ ଆଉ କେତେକ ସମୟରେ ଚଲାଇ ଚଲାଇ ନେଇ ଅନ୍ୟତ୍ର ବିକ୍ରି କରାଯାଉଛି।
ଏହିଭଳି ବୁଧବାର ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ନିକଟସ୍ଥ ଘୋଲପୁରରୁ କେରଳ ଗୋ’ଚାଲାଣ ହେଉଥିଲା। ଏନେଇ ସେହି ରାସ୍ତାରେ ପାଟ୍ରୋଲିଁ କରୁଥିବା ଏଏସ୍ଆଇ ଶରତ ଚନ୍ଦ୍ର ପଣ୍ତା ଏତେ ଗୋରୁ ଦେଖି ସନ୍ଦେହରେ ଅଭିଯୁକ୍ତମାନଙ୍କୁ ପଚାରିଥିଲେ। ଏହାପରେ ଉକ୍ତ ଗୋରୁ ସବୁ କେରଳ ଚାଲାଣ ହେଉଥିଲା ବୋଲି ଅଭିଯୁକ୍ତମାନେ ପୋଲିସ ସମ୍ମୁଖରେ ବୟାନ ଦେଇଥିଲେ । ଏହାପରେ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ପରାମର୍ଶ କ୍ରମେ ଏନେଇ ଏକ ମାମଲା ରୁଜୁ ହେବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ୪ ଜଣ ହେଲେ ଲକ୍ଷଣ ଗୌଡ଼, ପ୍ରକାଶ ନାୟକ, ବୁଦ୍ଧଦେବ ପ୍ରଧାନ ଓ ଗଣେଶ ନାଇକ। ସେମାନଙ୍କ ଘର ବାଇବାଲି ଓ ଘୋଲପୁର। ଏଥିସହ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର କରି ଗୋ’ଶାଳାରେ ରଖିବା ବ୍ୟବସ୍ଥା କରାଯାଇଛି।