ଜୀବିତଙ୍କ ନାଁରେ କୋଭିଡ୍‌ ସହାୟତା

ନୟାଗଡ଼ ଅଫିସ,୧୨।୧୨: ଜୀବିତ ଲୋକଙ୍କ ନାମରେ କୋଭିଡ୍‌ ମୃତକଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା ରାଶି ନୟାଗଡ଼ ଜିଲାର କେତେଜଣ ଲୋକଙ୍କୁ ମିଳିଛି। ଏହା ପରେ କୋଭିଡ୍‌ ମୃତକଙ୍କ ରିପୋର୍ଟ ଉପରେ ପ୍ରଶ୍ନ ଉଠିଛି। ଏନେଇ ଭାପୁର ବ୍ଲକ ଭାପୁର ପଞ୍ଚାୟତର କୁବେର ସାହୁ କ୍ଷୋଭର ସହ କହିଛନ୍ତି, ମୁଁ ବଞ୍ଚି ଥାଉ ଥାଉ ପ୍ରଶାସନ ମୋତେ ମାରି ଦେଇଛି। କୁବେରଙ୍କ ସୂଚନା ଅନୁସାରେ ତାଙ୍କୁ କରୋନା ହୋଇଥିଲା। ସେ କୌଣସି କୋଭିଡ୍‌ ସେଣ୍ଟରକୁ ଯାଇ ନ ଥିଲେ। ହୋମ୍‌ ଆଇସୋଲେଶନରେ ରହି ସୁସ୍ଥ ହୋଇଛନ୍ତି। ସେହିପରି ଭାପୁର ବ୍ଳକ ଗୋଳାପୋଖରୀ ପଞ୍ଚାୟତ ତରାବାଲୋ ଗଁାର କୁନ୍ତଳା ବେହେରା, ଶାଳପଡ଼ା ପଞ୍ଚାୟତ କେନ୍ଦୁପଲ୍ଲୀ ଗାଁର ନାରାୟଣ ପଣ୍ଡା, ବିଜିପୁର ପଞ୍ଚାୟତ ମାଳିବେରଣୀ ଗାଁର ଜଣେ ବ୍ୟକ୍ତି ମଧ୍ୟ ଅନୁରୂପ ଭାବେ ପ୍ରାଣ ହରାଇଛନ୍ତି ବୋଲି ତହସିଲଦାରଙ୍କ ପାଖକୁ ଆସିଥିବା ରିପୋର୍ଟ କହୁଛି। ହେଲେ ଏହି ବ୍ୟକ୍ତିମାନେ ଜୀବିତ ଅଛନ୍ତି ଏବଂ ତଦନ୍ତ ଦାବି କରିଛନ୍ତି। ଏପରି ଅବ୍ୟବସ୍ଥା ଖଣ୍ଡପଡ଼ା, ଓଡ଼ଗଁା, ରଣପୁର ବ୍ଲକରେ ହୋଇଥିବା ଅଭିଯୋଗ ହୋଇଛି ା
କୋଭିଡ୍‌ରେ ନୟାଗଡ଼ ଜିଲାରେ କେତେ ଲୋକ ମରିଛନ୍ତି ସେନେଇ ଠିକ୍‌ ତଥ୍ୟ ଆଜିପର୍ଯ୍ୟନ୍ତ ଜଣାପଡ଼ିନାହିଁ। କୋଭିଡ୍‌କୁ ସରକାର ମହାମାରୀ ଘୋଷଣା କରିବା ପରେ ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଉଛନ୍ତି। ତେବେ ବିଭିନ୍ନ ତହସିଲକୁ କୋଭିଡ୍‌ ମୃତକଙ୍କୁ ନେଇ ଯେଉଁ ରିପୋର୍ଟ ଆସିଛି ସେଥିରେ ତ୍ରୁଟି ରହିଛି। ଆରଆଇ ରିପୋର୍ଟ ଧରି ଗଁାକୁ ଯିବାବେଳେ ବଞ୍ଚିଥିବା ଲୋକଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେତେକ ସ୍ଥାନରେ ଉତ୍ତେଜନା ସୃଷ୍ଟି ହେଉଛି। ଫଳରେ ଆରଆଇମାନେ ହଟହଟା ହେଉଛନ୍ତି। ଏନେଇ ମୋରଡା ଆରଆଇ ପ୍ରଫୁଲ ବେହେରା, ଭାପୁର ତହସିଲଦାର ତୃପ୍ତି ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ସେମାନେ ଫୋନ ଉଠାଇ ନ ଥିଲେ। ଉପଜିଲାପାଳ ଲଗ୍ନଜିତ ରାଉତଙ୍କୁ ଯୋଗାଯୋଗ କରିବାରୁ ସେ କୋଭିଡ୍‌ ମୃତକ ରିପୋର୍ଟରେ ତ୍ରୁଟି ରହିଥିବା ସ୍ବୀକାର କରିଥିଲେ। ରିପୋର୍ଟକୁ ଯାଞ୍ଚ କରି ସହାୟତା ରାଶି ବଣ୍ଟନ କରିବାକୁ ତହସିଲଦାରମାନଙ୍କୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।