ଫେବୃୟାରୀ ୧୪ରୁ କରୋନା ଟିକାର ଦ୍ୱିତୀୟ ଡୋଜ୍‌

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ଆସନ୍ତା ଫେବୃୟାରୀ ୧୪ରୁ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ଆରମ୍ଭ ହେବ। ଜାନୁଆରୀ ୧୬ରେ ପ୍ରଥମ ଡୋଜ୍‌ ନେଇଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଫେବୃୟାରୀ ୧୪ରୁ ଦ୍ୱିତୀୟ ଡୋଜ ଦିଆଯିବ।
ପ୍ରଥମ ପର୍ଯ୍ୟାୟରେ ଯେଉଁ ୧ଲକ୍ଷ ୯୨ ହଜାର ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା ତାହା ଆଜି ସମ୍ପୂର୍ଣ୍ଣ ହୋଇପାରେ । ଆସନ୍ତା ଫେବୃୟାରୀ ୧୦ସୁଦ୍ଧା ରାଜ୍ୟର ସମସ୍ତ ୩ ଲକ୍ଷ ୫୦ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ କୋଭିଡ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଏ ପର୍ଯ୍ୟନ୍ତ ୧ ଲକ୍ଷ ୫୨ ହଜାର ୩୫୧ ଜଣଙ୍କୁ ଟିକା ଦିଆସରିଲାଣି।
ଦ୍ୱିତୀୟ ପର୍ଯ୍ୟାୟରେ କୋଭିଡ୍‌ ଯୋଦ୍ଧାଙ୍କର ଡାଟା ବେସ୍‌ ପ୍ରସ୍ତୁତ ହେଉଛି। ଆଜି ମଧ୍ୟରାତ୍ରୀ ପରେ କେତେ କୋଭିଡ୍‌ ଯୋଦ୍ଧା ପଞ୍ଜିକୃତ କରିଛନ୍ତି ତାହା ଜଣାପଡିବ। ତେବେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୫୦ ହଜାର ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୧ ଲକ୍ଷ ୯୨ ହଜାର ସ୍ବାସ୍ଥ୍ୟକର୍ମୀ ଟିକା ନେବା ପରେ ଯେଉଁମାନେ ରହିଗଲେ ସେମାନଙ୍କୁ ୨୮ ତାରିଖରୁ ଟିକା ଦିଆଯିବ। ଦିତ୍ୱୀୟ ପର୍ଯ୍ୟାୟ ପାଇଁ ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷ କୋଭିଡ ଯୋଦ୍ଧା ପଞ୍ଜୀକରଣ କରିଥିବା ସୂଚନା ମିଳିଛି।