ଗର୍ଭବତୀଙ୍କ ପାଇଁ କୋଭିଡ୍‌ ଟିକା ସୁରକ୍ଷିତ

ଭୁବନେଶ୍ୱର,୯।୭(ବ୍ୟୁରୋ):ଗର୍ଭବତୀଙ୍କ ପାଇଁ କୋଭିଡ୍‌ ଟିକା ସୁରକ୍ଷିତ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍‌ଲାଇନ ଅନୁସାରେ ଖୁବ୍‌ଶୀଘ୍ର ରାଜ୍ୟରେ ଗର୍ଭବତୀଙ୍କୁ ଟିକା ଦିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁବାର ସୂଚନା ଦେଇଛନ୍ତି। ଟିକା ନେବା ପାଇଁ ଯଦିଓ ଅନ୍ୟମାନଙ୍କ ଭଳି ଗର୍ଭବତୀଙ୍କ ନାମ ପଞ୍ଜୀକରଣ ସମାନ, ତଥାପି ସେମାନେ ସାଧାରଣ ଲୋକଙ୍କ ଭଳି ଲମ୍ବା ଧାଡ଼ିରେ ଠିଆ ହୋଇ ଟିକା ପାଇଁ ଅପେକ୍ଷା କରିବେ ନାହିଁ। ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରତୀକ୍ଷା ପ୍ରକୋଷ୍ଠ କରାଯିବ। ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀ ସେମାନଙ୍କୁ ଚିହ୍ନଟ କରି ଆବଶ୍ୟକ ସୁବିଧା ଯୋଗାଇଦେବେ ବୋଲି ପାଣିଗ୍ରାହୀ କହିଛନ୍ତି।
ଗର୍ଭବତୀମାନେ ଟିକା ନେବା ପରେ ସେମାନଙ୍କଠାରେ ଟିକାର କି ପ୍ରଭାବ ଦେଖାଯାଉଛି, ତାକୁ ଅନୁଧ୍ୟାନ କରିବା ପାଇଁ ଅଧଘଣ୍ଟା ନିରୀକ୍ଷଣରେ ରଖାଯିବ। ଏଥିନିମନ୍ତେ ରାଜ୍ୟବ୍ୟାପୀ ଜିଲାସ୍ତରରେ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି। ରାଜ୍ୟରେ ଚାଲିଥିବା ଟିକାକରଣ ସମ୍ପର୍କରେ ସୂଚନା ଦେଇ ପାଣିଗ୍ରାହୀ କହିଛନ୍ତି ଯେ ରାଜ୍ୟରେ ଏବେ ପର୍ଯ୍ୟାପ୍ତ ସଂଖ୍ୟାର କୋଭିଶିଲ୍ଡ ଟିକା ଉପଲବ୍ଧ ନାହିଁ। ଯେତିକି ରହିଛି ତାହା ଆସନ୍ତା ୨ଦିନ ମଧ୍ୟରେ ଶେଷ ହୋଇଯିବ। ବର୍ତ୍ତମାନ ରାଜ୍ୟରେ ୧,୯୦,୩୮୦ ଡୋଜ୍‌ କୋଭିଶିଲ୍ଡ ଟିକା ଏବଂ ୨,୯୮,୮୧୦ କୋଭାକ୍ସିନ ଟିକା ଉପଲବ୍ଧ ରହିଛି। ଭୁବନେଶ୍ୱର ଏବଂ ଗଞ୍ଜାମରେ ଲୋକମାନଙ୍କୁ ଏବେ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ରାଜ୍ୟର ଅନ୍ୟ ସବୁ ସ୍ଥାନରେ କୋଭିଶିଲ୍ଡ ଟିକା ଦିଆଯାଉଛି। ଆସନ୍ତା ୧୫ସୁଦ୍ଧା ରାଜ୍ୟକୁ ଆଉ ୩,୧୬,୪୭୦ ଡୋଜ୍‌ କୋଭିଶିଲ୍ଡ ଟିକା ମିଳିବାର ଅଛି। ତାହା ଆସିଗଲେ ପୁଣି ପୂର୍ଣ୍ଣ ପର୍ଯ୍ୟାୟରେ ଟିକାକରଣ କରାଯିବ ବୋଲି ପାଣିଗ୍ରାହୀ କହିଛନ୍ତି।