କୋଭିଡ୍‌ ମୃତ୍ୟୁ ସହାୟତା ତୁରନ୍ତ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): କୋଭିଡ୍‌ ମୃତ୍ୟୁ ସହାୟତା ପ୍ରଦାନ ସହ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୧୪ ମଧ୍ୟରେ ଯେଉଁମାନେ ମରିଛନ୍ତି ଓ ଅନୁକମ୍ପା ରାଶି ପାଇନାହାନ୍ତି, ସେମାନଙ୍କୁ ସହାୟତା ସହ ମୃତ୍ୟୁ ପ୍ରମାଣପତ୍ର ଶୀଘ୍ର ଇସ୍ୟୁ କରିବାକୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌. କେ ଶର୍ମା ଏ ନେଇ ସିଡିଏମ୍‌ସଙ୍କୁ ଚିଠି ଲେଖି କହିଛନ୍ତି, ସହାୟତା ପାଇଁ ହଜାରରୁ ଊର୍ଦ୍ଧ୍ୱ ଆବେଦନ ଏବେ ବି ପଡ଼ିରହିଛି। ସେମାନେ ଏ ପର୍ଯ୍ୟନ୍ତ ଅନୁକମ୍ପା ରାଶି ପାଇ ନାହାନ୍ତି। ମାର୍ଚ୍ଚ ୭ ସୁଦ୍ଧା ଅନୁକମ୍ପା ରାଶି ପ୍ରଦାନ ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏବେ ବି ବହୁ ଜିଲାରେ ପ୍ରକ୍ରିୟା ଶେଷ ହୋଇ ନାହିଁ। ସାରା ରାଜ୍ୟରୁ ୧୭,୧୧୫ଟି ଆବେଦନରୁ ପ୍ରାୟ ୧୬ହଜାର ଆବେଦନକାରୀଙ୍କୁ ୫୦ହଜାର ଟଙ୍କା ଲେଖାଏ ସହାୟତା ମିଳିସାରିଛି। ଖୋର୍ଦ୍ଧାରେ ୧,୭୫୦, କଟକ ୧,୨୮୩, ସୁନ୍ଦରଗଡ଼ ୧,୦୩୬, ଗଞ୍ଜାମ ୧,୦୨୩, ବରଗଡ଼ ୭୯୪, ପୁରୀ ୭୩୯, ବାଲେଶ୍ୱର ୬୦୯, ଅନୁଗୋଳରେ ୫୪୦ଟି ପରିବାରଙ୍କୁ ଅନୁକମ୍ପା ଦିଆଯାଇଛି। ତେବେ ଯେଉଁମାନେ ପାଇନାହାନ୍ତି, ସେମାନଙ୍କୁ ତୁରନ୍ତ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରି ଅର୍ଥରାଶି ପ୍ରଦାନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।