ପ୍ରତି ପଞ୍ଚାୟତରେ ନିର୍ମାଣ ହେବ କୋଭିଡ କେୟାର ହୋମ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ସାଢେ ୩ ମାସ ହେଲାଣି ଅଦୃଶ୍ୟ ଶକ୍ତି ସହ ଲଢ଼େଇ କରୁଛି ଓଡ଼ିଶା। ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟର ସ୍ଥିତି ଭଲ ଅଛି। ହେଲେ ସ୍ବାସ୍ଥ୍ୟ ସହ ଅର୍ଥନୀତିକୁ ପରିଚାଳନା କରିବା ଆମପାଇଁ ଜରୁରୀ ହୋଇପଡ଼ଇଛି। ଆଗାମୀ ଦିନରେ ପ୍ରତି ଗ୍ରାମରେ କୋଭିଡ ମ୍ୟାନେଜମେଣ୍ଟ କମିଟି ଗଠନ କରାଯିବ। ମାସ୍କ ଓ ସାମାଜିକ ଦୂରତ୍ୱ ନ ମାନିଲେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ ହେବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପାଳନ ଦିଗରେ ଗାଁରେ ସଚେତନତା ସୃଷ୍ଟି କରାଯିବ। ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ କରାଯିବ। ଲକ୍ଷଣଯୁକ୍ତ ଲୋକ ସେଠାକୁ ଆସିବେ,ଆଇସୋଲେଶନରେ ରହିବେ। ଏହାର ଦାୟିତ୍ୱରେ ସରପଞ୍ଚମାନେ ରହିବେ। ରାଜ୍ୟରେ ମୋଟ ୧୬,୮୨୪ କ୍ୱାରାଣ୍ଟାଇନ୍‌ ସେଣ୍ଟର ରହିଥିଲା। ଏହାକୁ ହ୍ରାସ କରାଯିବ। ଏଯାବତ ୭ ଲକ୍ଷ ୪୬ହଜାର ୯୮ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଡିସ୍‌ଚାର୍ଜ ହୋଇଛନ୍ତି। ଏବେ ମୋଟ ୧ ଲକ୍ଷ ୫ହଜାର ଲୋକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି। କରୋନା ଅପ୍‌ଡେଟ୍‌ ନେଇ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।