ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି ପୋଲିସ । ପୀଡିତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ମୁତାବକ ଅଭିଯୁକ୍ତ ୨୮ବର୍ଷୀୟ ଯୁବକଜଣକ ପୀଡିତାଙ୍କ ପଡୋଶୀ ହୋଇଥିବା ବେଳେ ସମ୍ପର୍କରେ ଭାଇ-ଭଉଣୀ। ପ୍ରାୟ ୬ମାସ ପୂର୍ବରୁ ଅଭିଯୁକ୍ତଙ୍କ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ଘରକାମରେ ସାହାଯ୍ୟ କରିବାକୁ ପୀଡିତାଙ୍କ ମା’ଙ୍କୁ କହି ପୀଡିତାଙ୍କୁ କିଛିଦିନ ପାଇଁ ଘରକୁ ପଠାଇବାକୁ କହିଥିଲେ । ଏହାପରେ ଅଭିଯୁକ୍ତଜଣଙ୍କ ପୀଡିତାଙ୍କୁ ସାଙ୍ଗରେ ଦୈନିକ ନିଜ ଘରକୁ ନେଇ ଯାଉଥିବା ବେଳେ ଘରକାମ ସରିଲେ ପୁନର୍ବାର ପୀଡିତାଙ୍କୁ ତାଙ୍କ ଘରେ ଆଣି ଛାଡିଦେଇ ଯାଉଥିଲେ।

ତେବେ ଘରକୁ ଯିବାଆସିବା ସମୟରେ ସୁଯୋଗ ଦେଖି ଅଭିଯୁକ୍ତ ଜଣକ ପୀଡିତାଙ୍କୁ ବଳାତ୍କାର କରିବା ସହିତ ଘଟଣା ବାହାରେ ପ୍ରଘଟ କଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇ ଆସୁଥିଲେ। ପୀଡ଼ିତାଜଣଙ୍କ ଭୟରେ ମାନସିକ ଚାପରେ ରହୁଥିବା ବେଳେ ଇତିମଧ୍ୟରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ଘରଲୋକେ ତାଙ୍କର ଡାକ୍ତରୀ ପରୀକ୍ଷା କରାଇବାରୁ ସେ ୬ ମାସର ଗର୍ଭବତୀ ଥିବାର ଜଣାପଡିଥିଲା ।

ଘରଲୋକେ ଅଧିକ ପଚରା ଉଚରା କରିବାପରେ ସେ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ। ଏହାପରେ ପୀଡିତାଙ୍କ ଘରଲୋକ ବୈଶିଙ୍ଗା ଥାନାରେ ଏତଲା ଦାଏର କରିବାପରେ ଶୁକ୍ରବାର ରାତି ଆଠଟା ସମୟରେ ୨୪୯ ନଂ ରେ ଏକ ମାମଲା ରୁଜୁ କରାଯାଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଶନିବାର ଡ଼ାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

Share