୬ ସ୍ଥାନରେ ଖୋଲିଲା କୋର୍ଟ

କଟକ ଅଫିସ,୧୯ା୧: ରାଜ୍ୟର ୬ଟି ସ୍ଥାନରେ ନୂତନ କୋର୍ଟ ବୁଧବାର ଉଦ୍‌ଘାଟିତ ହୋଇଛି। ସେଗୁଡିକ ହେଲା ମାଲକାନଗିରି ଜିଲା କୁଡୁମୁଲୁଗୁମାଠାରେ ସିଭିଲ ଜଜ ତଥା ଜେଏମ୍‌ଏଫ୍‌ସି, କଳାହାଣ୍ଡି ଜିଲା ଭବାନୀପାଟଣାଠାରେ ସିନିୟର ସିଭିଲ ଜଜ୍‌ ତଥା ସହକାରୀ ସେସନ ଜଜ୍‌(ମହିଳା ଅଦାଲତ), କେନ୍ଦ୍ରାପଡାରେ ସିନିୟର ସିଭିଲ ଜଜ୍‌, ଯାଜପୁରରେ ସିନିୟର ସିଭିଲ ଜଜ୍‌, ବଲାଙ୍ଗୀରରେ ସିନିୟର ସିଭିଲ ଜଜ୍‌ ଓ କେନ୍ଦୁଝରରେ ସିନିୟର ସିଭିଲ ଜଜ୍‌ ତଥା ସହକାରୀ ସେସନ ଜଜ୍‌(ମହିଳା ଅଦାଲତ)। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ଏହାର ଉଦ୍‌ଘାଟନ କରି କହିଥିଲେ, ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିଚାରପତି, ଜୁଡିସିଆଲ ଅଧିକାରୀ, ଓକିଲ ସଂଘର ସଦସ୍ୟ, ସ୍ଥାନୀୟ ପ୍ରଶାସନ ଓ ପୋଲିସର ପ୍ରମୁଖ ଭୂମିକା ରହିଛି। କୁଡୁମୁଲୁଗୁମା ପରି ଉପାନ୍ତ ଅଞ୍ଚଳରେ କୋର୍ଟ ଖୋଲିବା ଦ୍ୱାରା ଆଦିବାସୀମାନେ ବିଶେଷଭାବେ ଉପକୃତ ହେବେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟ ବିଚାରପତି ଏସ୍‌. ପୂଜାହାରୀ, ଜଷ୍ଟିସ ବିଶ୍ୱନାଥ ରଥ, ଏସ୍‌.କେ. ସାହୁ, ବି.ପି. ରାଉତରାୟ, ହାଇକୋର୍ଟ ରେଜିଷ୍ଟ୍ରାର ଅଧିକାରୀଙ୍କ ସମେତ ସମସ୍ତ କୋର୍ଟର ବିଚାରପତି ଏବଂ ଓକିଲ ସଂଘର ସଦସ୍ୟ ଉପସ୍ଥିତ ଥିଲେ।