ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ମାଲକାନଗିରି/କୋରୁକୋଣ୍ଡା,୮ା୧୧(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ଏମ୍‌ଭି-୩୬ ମୁଖ୍ୟ ରାସ୍ତାରେ ଏକ ଟ୍ରକ୍‌ ଓ ବାଇକ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦମ୍ପତିଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଏମ୍‌ଭି-୩୬ ଗ୍ରାମର ଦୀପକ ବିଶ୍ୱାସ(୫୦) ଏବଂ ତାଙ୍କର ସ୍ତ୍ରୀ ସିପ୍ରା ବିଶ୍ୱାସ (୪୨)। ଗୁରୁତର ମହିଳା ଜଣକ ହେଲେ ସାଧନା ଦାସ (୩୩)।

ଖବରପାଇ ବାଲିମେଳା ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଟ୍ରକ୍‌ (ଓଆର୍‌୧୦ଜି-୦୯୪୫) ମାଲକାନଗିରିରୁ ବାଲିମେଳା ଅଭିମୁଖେ ଯାଉଥିବା ବେଳେ ବାଇକଟି ମାଲକାନଗିରି ଆସୁଥିଲା। ଏହି ସମୟରେ ଏମ୍‌ଭି-୩୬ ମୁଖ୍ୟ ରାସ୍ତାରେ ଟ୍ରକ ଏବଂ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍‌ରେ ଥିବା ୩ଜଣଙ୍କ ମଧ୍ୟରୁ ଦୀପକ ଓ ସିପ୍ରାଙ୍କ ମୃତ୍ୟୁ ହୋଇଯାଇଥିଲା। ସାଧନା ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।