ସ୍ବାମୀ, ସ୍ତ୍ରୀଙ୍କୁ କାଟି ଫିଙ୍ଗି ଦେଲେ

କାଲିମେଳା,୨୪ା୯(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ଭି-୬୯ ଗ୍ରାମ ପଛପଟେ ଥିବା ଏକ ଚାଷଜମିରୁ ଶୁକ୍ରବାର ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଉଭୟେ ନିଜ ଜମି ନିକଟରେ କରିଥିବା କୁଡ଼ିଆରେ ରହୁଥିଲେ। ତାଙ୍କୁ ହତ୍ୟାକରି ଚାଷଜମିକୁ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ମୃତ ଦମ୍ପତି ହେଲେ କାଲିମେଳା ଥାନା ବୁଡିଗୁଡ଼ା ଗ୍ରାମର ଭୀମା ମାଢ଼ି (୩୮)ଏବଂ ତାଙ୍କ ସ୍ତ୍ରୀ ଭୀମେ ମାଢ଼ି (୩୦)।
ଖବରରୁ ଜଣାପଡ଼ିଛି, ଭୀମା ଓ ତାଙ୍କ ସ୍ତ୍ରୀ ଦୀର୍ଘ ଦିନହେଲା ନିଜ ଜମି ନିକଟରେ କୁଡ଼ିଆ ଘର କରି ରହି ଆସୁଥିଲେ। ବେଳେ ବେଳେ ଗ୍ରାମ ଭିତରେ ଥିବା ନିଜ ଘରକୁ ମଧ୍ୟ ଆସୁଥିଲେ। ତାଙ୍କର ଏକମାତ୍ର ପୁଅ ଆନ୍ଧ୍ରରେ ରହି କାମ କରୁଥିବା ବେଳେ ଝିଅକୁ ଭୀମା ସେହି ଗ୍ରାମରେ ବିବାହ ଦେଇଛନ୍ତି। ଗତ ୩ ଦିନ ତଳେ ସେ ଘରକୁ ଆସି ନିଜ କୁଡ଼ିଆ ଘରକୁ ଚାଲିଯାଇଥିବା ପରିବାର ଲୋକେ କହିଛନ୍ତି। ତେବେ ଶୁକ୍ରବାର ପୂର୍ବାହ୍ନ ୧୦ରୁ ୧୧ଟା ସମୟରେ ସେହି ଧାନଜମି ନିକଟକୁ ଚାଷ କରିବାକୁ ଯାଇଥିବା ବେଳେ କିଛି ଲୋକ ସେଠାରେ ଦୁର୍ଗନ୍ଧ ବାହାରୁଥିବା ଜାଣି ଖୋଜାଖୋଜି କରିଥିଲେ। ପରେ ଜମିରେ ଭୀମା ଓ ତାଙ୍କ ସ୍ତ୍ରୀଙ୍କ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ହତ୍ୟାକାଣ୍ଡ ହୋଇଥିବା ସ୍ଥାନରେ ରକ୍ତଭିଜା କପଡ଼ା ଏବଂ ଅନେକ ସ୍ଥାନରେ ରକ୍ତଛିଟା ଓ ମାଟିରେ ରକ୍ତ ପଡ଼ି ଭିଜିଯାଇଥିବା ଦେଖିବାକୁ ମିଳିଛି। ଦମ୍ପତି ରହୁଥିବା କୁଡ଼ିଆ ଘରର ଆସବାବପତ୍ରଗୁଡ଼ିକ ମଧ୍ୟ ଏଣେତେଣେ ପଡ଼ିଛି। ଖବର ପାଇ କାଲିମେଳା ଥାନା ଅଧିକାରୀ ଜଗଦୀଶ ବାରାଙ୍କ ସହ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ପରିବାର, ସମ୍ପର୍କୀୟ ଓ ଗ୍ରାମ ଲୋକଙ୍କୁ ପୋଲିସ ପଚରାଉଚରା କରୁଛି। ଏହି ହତ୍ୟାକାଣ୍ଡ ୨/୩ ଦିନ ତଳେ ହୋଇଥିବା ଅନୁମାନ କରାଯାଉଛି। କୋରାପୁଟରୁ ଏକ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଘଟଣାର ଅନୁସନ୍ଧାନ ଜାରି ରଖିଛି । ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ଥାନା ଅଧିକାରୀ ବାରା କହିଛନ୍ତି।