ମହାନଦୀକୁ ଡେଇଁପଡ଼ିଲେ ଦମ୍ପତି

କଟକ ଅଫିସ,୫।୬: କଟକ ଯୋବ୍ରା ଆନିକଟ୍‌ ବ୍ରିଜରୁ ମହାନଦୀକୁ ଡେଇଁ ଶୁକ୍ରବାର ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ମଧ୍ୟ ମହାନଦୀକୁ ଡେଇଁ ପଡିଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦମ୍ପତିଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲ ପଠାଇଥିଲେ। ସ୍ବାମୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ବୋଲି ଅଗ୍ନିଶମ ବିଭାଗର ସହକାରୀ ଅଧିକାରୀ ଅବନୀ କୁମାର ସ୍ବାଇଁ କହିଛନ୍ତି। ଜଗତ୍‌ପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେରଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଅଞ୍ଚଳର ରାଜେଶ ସାହୁ (୩୦) କଲ୍ୟାଣନଗର ଅଞ୍ଚଳର ସ୍ବାଗତିକା ମହାନ୍ତି(୨୭)ଙ୍କୁ ଏକ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ବିବାହ ପରଠାରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହିଥିଲା। ଶୁକ୍ରବାର କୌଣସି କାରଣରୁ ତିକ୍ତତା ବୃଦ୍ଧି ପାଇବାରୁ ସ୍ବାଗତିକା ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପାରିବାରିକ କଳହ ଯୋଗୁ ସେ ଏପରି ଉଦ୍ୟମ କରିଥାଇପାରନ୍ତି ବୋଲି ଥାନା ଅଧିକାରୀ ମେହେର କହିଛନ୍ତି।