ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଗ୍ରାମର ବଳରାମ ପରିଡା ଓ ତାଙ୍କ ପତ୍ନୀ ସସ୍ମିତା ପରିଡା ଗୁରୁତର ଆହତ ହୋଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଅଭିଯୋଗ ଅନୁସାରେ, ବଳରାମଙ୍କ ସହ ତାଙ୍କ ଭାଇ ସୁଦର୍ଶନ ପରିଡାଙ୍କର ଜମିବାଡ଼ିକୁ ନେଇ ବିବାଦ ଚାଲିଥିଲା। ବୁଧବାର ଦିନ ଭଦ୍ରବ୍ୟକ୍ତିମାନଙ୍କ ଉପସ୍ଥିତିରେ ଏହାର ସମାଧାନ ହେବାର ଥିଲା। ମାତ୍ର ସେହିପୂର୍ବରୁ ବଳରାମଙ୍କ କକାପୁଅ ଭାଇ ଧର୍ଯ୍ୟଧର ପରିଡା, ତାଙ୍କ ବାପା ରତ୍ନାକର ପରିଡା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ପୂର୍ବ ଶତ୍ରୁତାରୁ ହଠାତ୍ ଗାଳିଗୁଲଜ କରିଥିଲେ। ବଳରାମ ଏହାର ପ୍ରତିବାଦ କରିବାରୁ ଉଭୟ ସସ୍ମିତା ଓ ବଳରାମଙ୍କୁ ମାରଣାନ୍ତକ ଆକ୍ରମଣ କରାଯାଇଥିଲା।
ଏହି ଘଟଣା ନେଇ ବଳରାମ ଆନନ୍ଦପୁର ଏସଡିପିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ଧର୍ଯ୍ୟଧରଙ୍କ ପରିବାର ପକ୍ଷରୁ ମଧ୍ୟ ସୋସୋ ଥାନାରେ ବଳରାମଙ୍କ ବିରୁଦ୍ଧରେ ଏକ ପାଲଟା ଅଭିଯୋଗ କରାଯାଇଥିବା ଜଣାପଡିଛି।