ଟ୍ରକ୍‌ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ଝାରସୁଗଡ଼ା ଅଫିସ,୪।୧୧: ଝାରସୁଗଡ଼ା ଜିଲା ରେଙ୍ଗାଲି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ କତରବଗା ନିକଟରେ ଗୁରୁବାର ଅପରାହ୍ନରେ ଏକ ୧୪ ଚକିଆ ମାଲ୍‌ ବୋଝେଇ ଟ୍ରକ୍‌ ଏକ ବାଇକ୍‌(ନଂ.ଓଆର୍‌ ୨୩ଏଲ୍‌-୪୭୨୩)କୁ ଧକ୍କା ଦେଇଛି। ଫଳରେ ବାଇକ୍‌ରେ ଥିବା ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ବନହରପାଲି ଥାନା ଅଧୀନ ସାପାଲି ଗ୍ରାମର ରାମକୃଷ୍ଣ ସା(୪୬) ଏବଂ ତାଙ୍କର ସ୍ତ୍ରୀ ସବିତା (୪୩)।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ରେଙ୍ଗାଲି ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକଙ୍କୁ ଲୋକେ ପୋଲିସ ଜିମା ଦେଇଛନ୍ତି। ପୋଲିସ ଦୁଘର୍ଟଣା ଘଟାଇଥିବା ଟ୍ରକ୍‌(ନଂ.ସିଜି ୧୩ଏସି ୫୦୯୯)କୁ ଜବତ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ସୂଚନା ଯୋଗ୍ୟ, ଦମ୍ପତି କତରବଗା ସ୍କୁଲରେ ପଢୁଥିବା ନିଜ ଝିଅକୁ ଦେଖି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।