ଫୁଲକୋବି ଖାଇ ଦମ୍ପତି ଗୁରୁତର

ଆର୍‌.ଉଦୟଗିରି, ୧୮।୩-: ଫୁଲକୋବି ଖାଇ ଦମ୍ପତି ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ମଳାସପଦର ପଞ୍ଚାୟତ ଅନ୍ତର୍ଗତ ହାଲାପଙ୍କା ଗ୍ରାମରେ।

ସୂଚନା ଅନୁଯାୟୀ, ଗ୍ରାମର ଦମ୍ପତି ଯବିତ୍ର ଗମାଙ୍ଗ ଏବଂ ନମିତା ଗମାଙ୍ଗ ନିଜ ବାଡ଼ିରେ ଫୁଲକୋବି ଚାଷ କରିଛନ୍ତି। ଫସଲରେ ପୋକ ଲାଗିଥିବା ଯୋଗୁଁ ୩ ଦିନ ପୂର୍ବରୁ ଫସଲରେ ଏକ କୀଟ ନାଶକ ଔଷଧ ସିଞ୍ଚନ କରିଥିଲେ। ତେବେ ଗୁରୁବାର  ଫୁଲକୋବି ତୋଳି ନମିତା ରୋଷଇ କରିଥିଲେ। ଏହାକୁ ଖାଇବା ପରେ ଦୁହେଁ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ପେଟରେ ଭୀଷଣ ଜ୍ୱାଳା ହେବା ସହ ମୁଣ୍ଡ ବୁଲାଇଥିଲା। ଗ୍ରାମବାସୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ବର୍ତ୍ତମାନ ଦୁହିଁଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।