୮ରୁ ରାଜ୍ୟ ବାର୍‌ କାଉନ୍‌ସିଲ୍‌ ନିର୍ବାଚନ ଭୋଟ ଗଣତି

କଟକ ଅଫିସ,୪।୬: ରାଜ୍ୟ ବାର୍‌ କାଉନ୍‌ସିଲ୍‌ ନିର୍ବାଚନର ଭୋଟ ଗଣତି ଆସନ୍ତା ୮ରୁ ଆରମ୍ଭ ହେବ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। କାଉନ୍‌ସିଲ୍‌ର ନିର୍ବାଚନ ପରିଚାଳନା କରୁଥିବା ରିଟର୍ନିଂ ଅଧିକାରୀ ତଥା ହାଇକୋର୍ଟର ପୂର୍ବତନ ବିଚାରପତି ପ୍ରମଥ ପଟ୍ଟନାୟକ ଏନେଇ ଶନିବାର ନୋଟିସ୍‌ ଜାରି କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ବାର୍‌ କାଉନ୍‌ସିଲ୍‌ ନିର୍ବାଚନ ଗତ ଏପ୍ରିଲ ୧୫ରେ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁରରେ ସେହି ସମୟରେ କର୍ଫ୍ୟୁ ଜାରି ଥିବାରୁ ସେଠାରେ ନିର୍ବାଚନ ହୋଇପାରି ନ ଥିଲା। ହେଲେ ପରବର୍ତ୍ତୀ ସମୟରେ ସମ୍ବଲପୁରରେ ନିର୍ବାଚନ ହୋଇଥିଲା। ରାଜ୍ୟ ବାର୍‌ କାଉନ୍‌ସିଲ୍‌ର ୨୫ଟି ପଦ ନିମନ୍ତେ ୯୬ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ରାଜ୍ୟରେ ମୋଟ ୩୪,୯୦୮ ଆଇନଜୀବୀ ଭୋଟରଙ୍କ ମତଦାନ ନିମନ୍ତେ ୧୬୭ ପୋଲିଂ ବୁଥ୍‌ କରାଯାଇଥିଲା। ମତଦାନ ନିୟମ ଅନୁଯାୟୀ ଜଣେ ମତଦାତା ସର୍ବନିମ୍ନ ୫ଟି ଭୋଟ ଦେବାକୁ ବାଧ୍ୟ। ୫ରୁ କମ୍‌ ହେଲେ ତାଙ୍କର ମତଦାନ ନାକଚ ହୋଇଯିବ। ସେହିପରି ଜଣେ ସର୍ବାଧିକ ୨୫ଟି ଭୋଟ ଦେଇପାରିବେ। ଦୀର୍ଘ ୧୦ ବର୍ଷ ପରେ ରାଜ୍ୟ ବାର୍‌ କାଉନ୍‌ସିଲ୍‌ ନିର୍ବାଚନ ହୋଇଥିବାରୁ ସମସ୍ତେ ଉତ୍ସୁକତାର ସହ ଫଳାଫଳକୁ ଅପେକ୍ଷା କରିଛନ୍ତି। ଏହି ନିର୍ବାଚନ ଶେଷ ଥର ପାଇଁ ୨୦୧୩ ନଭେମ୍ବରରେ ହୋଇଥିଲା।