ନକଲି ବିଦେଶୀ ମଦ କାରଖାନା ଠାବ: କନଷ୍ଟେବଳ, ଜିଲା ପରିଷଦ ସଭ୍ୟ ଗିରଫ

ଢେଙ୍କାନାଳ ଅଫିସ,୩।୧: ଅବକାରୀ ବିଭାଗ ମଙ୍ଗଳବାର ଭୋରରେ ଢେଙ୍କାନାଳ ଜିଲା ଭୁବନ ଥାନା ଅଧୀନ ଏକତାଳି ଗ୍ରାମରେ ଚଢାଉ କରି ଏକ ନକଲି ବିଦେଶୀ ମଦ କାରଖାନା ଠାବ କରିଛି। ଚଢ଼ାଉ ବେଳେ ଅଧିକାରୀମାନେ ଘଟଣାରେ ସମ୍ପୃକ୍ତ ଜଣେ ପୋଲିସ କନଷ୍ଟେବଳ ଏବଂ ଜିଲା ପରିଷଦ ସଭ୍ୟଙ୍କ ସମେତ ୩ଜଣଙ୍କୁ ଗିରଫ କରିଛନ୍ତି।

ଜିଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଏକ ଟିମ୍‌ ଏକତାଳି ଗ୍ରାମରେ ଚଢ଼ାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ ୫୧ ଲିଟର ନକଲି ବିଦେଶୀ ମଦ, ବ୍ୟବହୃତ ବିଭିନ୍ନ କେମିକାଲ, ବିଭିନ୍ନ ବ୍ରାଣ୍ଡର ଲେବୁଲ, ବୋତଲ ସହ ଏକ ମଦ ତିଆରି ମେଶିନ ଏବଂ ୨ଟି ଅଫୁଟା ଗୁଳି ଜବତ କରିଥିଲେ। ଘଟଣାରେ ସମ୍ପୃକ୍ତ ଭୁବନ ବ୍ଲକ ଜୋନ-୩ର ବିଜେଡି ଜିଲା ପରିଷଦ ସଭ୍ୟ ସୁବାସ ମାଝି, ପୋଲିସ କନଷ୍ଟେବଳ ସୁଶାନ୍ତ ଦଳେଇ, ଅରବିନ୍ଦ ଦାସଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଗିରଫ ପୋଲିସ କନଷ୍ଟେବଳ ସୁଶାନ୍ତଙ୍କ ନିକଟରୁ ୨ଟି ଗୁଳି ଜବତ ହୋଇଛି । ସୁଶାନ୍ତ ଯାଜପୁର ଜିଲା ଜଖପୁରା ଥାନାରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ। ସୁଶାନ୍ତ ଓ ସୁବାସଙ୍କ ଘର ଏକତାଳି ଗ୍ରାମରେ। ଅରବିନ୍ଦଙ୍କ ଘର ମୃଦଙ୍ଗା ଗ୍ରାମରେ ବୋଲି ଜିଲା ଅବକାରୀ ଅଧୀକ୍ଷକ ସୂଚନା ଦେଇଛନ୍ତି।