ଭୁବନେଶ୍ୱର,୨୦।୪(ତ୍ରିନାଥ ମହାନ୍ତି): କଟକ ଫୁଲନଖରାରେ ଥିବା ଏକ ସଂସ୍ଥାର ଗୋଦାମରୁ ୮ହଜାର ୮୪୦ ବୋତଲ ନିଷିଦ୍ଧ କଫସିରପ୍ ଜବତ ଘଟଣାର ଲିଙ୍କ୍ ଗୁଜରାଟ ଓ ହାଇଦ୍ରାବାଦକୁ ଲମ୍ବିଛି। ଏହି ବେଆଇନ କାରବାରର ମାଷ୍ଟରମାଇଣ୍ଡ ଗୁଜରାଟରେ ରହି ଓଡ଼ିଶାକୁ କଫ୍ସିରପ୍ ପଠାଉଥିଲେ। ଉକ୍ତ କଫସିରପ୍ ହାଇଦ୍ରାବଦରେ ତିଆରି ହେଉଥିବାବେଳେ ଫୁଲନଖରାରେ ମିଛ କମ୍ପାନୀ କରି ବସିଥିବା ଧର୍ମେନ୍ଦ୍ର କୁମାର ରାଉତ ଏହାକୁ ଗୋଦାମରେ ରଖି ରାଜ୍ୟର ବିଭିନ୍ନ ଜିଲାକୁ ପଠାଇ ମାଲାମାଲ ହେଉଥିଲେ। ତଦନ୍ତ ସମୟରେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଏହା ଜାଣିବା ପରେ ଏହାର ଦୁଇଟି ସ୍ବତନ୍ତ୍ର ଟିମ୍ ଦୁଇ ରାଜ୍ୟ ଅଭିମୁଖେ ଗସ୍ତ କରିଥିବା ସୂଚନା ମିଳିଛି। ଏକ ଟିମ୍ ଗୁଜରାଟ ଯାଇ ସେଠାରେ ରହି ର଼୍ୟାକେଟ ଚଳାଉଥିବା ମାଷ୍ଟରମାଇଣ୍ଡଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବାବେଳେ ଅନ୍ୟ ଏକ ଟିମ୍ ହାଇଦ୍ରାବାଦ ଯାଇ କଫସିରପ୍ ପ୍ରସ୍ତୁତ କରୁଥିବା କମ୍ପାନୀ ସମ୍ପର୍କରେ ପଚରାଉରା କରୁଥିବା ଜଣାପଡ଼ିଛି।
ଓଡ଼ିଶାରେ ନିଷିଦ୍ଧ କଫସିରପ୍ର ହୋଲ୍ସେଲର ଥିଲେ ଧର୍ମେନ୍ଦ୍ର। ରାଜ୍ୟର ବିଭିନ୍ନ ଜିଲାରେ ଥିବା ଛୋଟ ଏବଂ ବଡ଼ ବେପାରୀଙ୍କୁ ସେ କଫସିରପ୍ ଯୋଗାଉଥିଲେ। ତେବେ ଗୁଜରାଟରୁ ଆସୁଥିବା କଫସିରପ୍ର କାଗଜପତ୍ରରେ ମେଡିସିନ୍ ବୋଲି ଉଲ୍ଲେଖ କରାଯାଉଥିଲା। ଫଳରେ ବାଟରେ ପୋଲିସ ଅଟକାଇ ଯାଞ୍ଚ କରୁ ନ ଥିଲା। ୨୦୨୨ ଓ ୨୦୨୫ରେ ବାଲେଶ୍ୱରରୁ ବଡ଼ ପରିମାଣର କଫସିରପ୍ ଜବତ କରାଯାଇଥିଲା। ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ତଦନ୍ତ କରିବା ପରେ ଏହି କାରବାରରେ ଭୁବନେଶ୍ୱର ଲିଙ୍କ୍ ପଦାକୁ ଆସିଥିଲା। ତଦନ୍ତ କରିବା ପରେ ଫୁଲନଖରାରେ ଥିବା ଏମ୍ଏସ୍ ଶୁଭମ ସଂସ୍ଥା ଏଭଳି ବେଆଇନ୍ କଫ୍ସିରପ ଯୋଗାଉଥିବା ଜଣାପଡିଥିଲା। ଏହାପରେ ଏସ୍ଟିଏଫ ସହାୟତାରେ ଫୁଲନଖରାସ୍ଥିତ ଶୁଭମ୍ ଆସୋସିଏଟ୍ ସଂସ୍ଥାର ଗୋଦାମରେ ଚଢାଉ କରାଯାଇ ପ୍ରାୟ ୧୫ ଲକ୍ଷ ଟଙ୍କାର ୭୪ ପେଟି କଫସିରପ୍ ଜବତ କରାଯାଇଥିଲା। ଡ୍ରଗ୍ସ ଇନ୍ସପେକ୍ଟର ଚିନ୍ମୟ କୁମାର ଜେନାଙ୍କ ଅଭିଯୋଗକ୍ରମେ ସଂସ୍ଥାର ମାଲିକ ଧର୍ମେନ୍ଦ୍ରଙ୍କ ନାମରେ ମାମଲା (ନଂ.୭/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେ ଫେରାର ଥିବାରୁ ତାଙ୍କୁ ଗିରଫ ପାଇଁ ଏସ୍ଟିଏଫ୍ ବିଭିନ୍ନ ସ୍ଥାନରେ ଚଢାଉ ଚଳାଇଛି। ତେବେ ସେ ବାରମ୍ବାର ସ୍ଥାନ ବଦଳାଉଛନ୍ତି। ତାଙ୍କ ସହ ର଼୍ୟାକେଟର ମାଷ୍ଟରମାଇଣ୍ଡ ଓ ଅନ୍ୟମାନଙ୍କୁ ଗିରଫ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।