ଉନ୍ନତି ନାମରେ ଦୁର୍ନୀତି ହେଉଛି: କଂଗ୍ରେସ

ଭଦ୍ରକ,୧୦।୭(ସନାତନ ରାଉତ): ଭଦ୍ରକ ବିଧାନସଭା କ୍ଷେତ୍ରରେ ଉନ୍ନତି ନାମରେ ବ୍ୟାପକ ଦୁର୍ନୀତି ହେଉଛି l ବିନା ପିସିରେ କୌଣସି କାମ ହେଉନାହିଁ l ଠିକାଦାରମାନେ ନିମ୍ନମାନର କାମ କରୁଛନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁ ଭଦ୍ରକାଳୀ ପୋଖରୀ ପାଚେରୀ ସହ ଏରଡ଼ାରେ ପୋଖରୀ ପାଚେରୀ ଧସିପଡିଲା ବୋଲି ଖବରଦାତା ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।
ଭଦ୍ରକ ବିଧାନସଭାର କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସମ୍ମିଳନୀରେ କହିଛନ୍ତି, ପୌରାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବାରୁ ସହରରେ କୃତିମ ବନ୍ୟା ସୃଷ୍ଟି ହେଉଛି। ମୋଚି ଛକଠାରୁ ଭଦ୍ରକାଳୀ ରାସ୍ତା ନିର୍ମାଣ ରାତିରେ କାହିଁକି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି l ଭଦ୍ରକରେ ନିଶା ମାଫିଆଙ୍କ ଦୌରତ୍ମ୍ୟ ବଢ଼ି ଚାଲିଥିବା ବେଳେ ନିଶା କାରବାରରେ ସମ୍ପୃକ୍ତ ଗିରଫ ଯୁବକଙ୍କ ଫଟୋ ବିଧାୟକଙ୍କ ସହିତ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି ବୋଲି ସେ ଅଭିଯୋଗ କରିଛନ୍ତି।