CORONAVIRUS UPDATE: ଆଉ ୧୦୮ ପଜିଟିଭ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ ଛୁଇଁଲା

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୪୧୬୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ କ୍ୱାରାଣ୍ଟାଇନ ସେଣ୍ଟରରୁ ୯୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୩ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି।
ନୂଆ ୧୦୮ ସଂକ୍ରମିତଙ୍କ ମଧ୍ୟରୁ ମାଲକାନଗିରିରୁ ସର୍ବାଧିକ ୨୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀରୁ ୧୫, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାରୁ ୯ ଜଣ ଲେଖାଏ, ଗଞ୍ଜାମ ୮, ଗଜପତି ଓ ଖୋର୍ଦ୍ଧାରୁ ୭ ଜଣ ଲେଖାଏ କେନ୍ଦୁଝର ୫, ବାଲେଶ୍ୱର ୪, ସୁନ୍ଦରଗଡ଼ ୨, କଟକ, କଳାହାଣ୍ଡି, ବରଗଡ଼, ବଲାଙ୍ଗୀର ଓ ଅନୁଗୋଳରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। ବାତ୍ୟା ‘ଅମ୍ଫନ’ ଉଦ୍ଧାର କାର୍ଯ୍ୟ ସାରି କୋଲକାତାରୁ ଫେରିଥିବା ଆଉ ୧୬ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୪୧୬୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୯୫ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୨୮୫୪ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।