Categories: ଜାତୀୟ

କରୋନା ପରବର୍ତ୍ତୀ ସ୍ଥିତି ବିଶ୍ୱ ଅର୍ଥନୀତି ଲାଗି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭାରତ- ୟୁରୋପ ସଂଘ(ଇୟୁ) ସମିଟ୍‌କୁ ଭିଡିଓ କନ୍‌ଫରେନ୍ସରେ ଉଦ୍‌ବୋଧନ ଦେଇ ଅର୍ଥନୀତି ସୁଧାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାମାରୀ କରୋନା ପରେ ବିଶ୍ୱ ଅର୍ଥନୀତି ବହୁ ଜଟିଳତାର ସମ୍ମୁଖୀନ ହେବ। ଏଥିଲାଗି ସମସ୍ତ ଗଣତାନ୍ତ୍ରିକ ଦେଶ ଏକାଠି ହୋଇ ଏହାର ମୁକାବିଲା କରିବାକୁ ସେ ଆହ୍ବାନ ଦେଇଛନ୍ତି। ମୋଦି କହିଛନ୍ତି, ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଭଳି ଅନେକ କ୍ଷେତ୍ର ଉପରେ ସହଯୋଗର ଆବଶ୍ୟକତା ରହିଛିି। ଭାରତ-ଇୟୁ ପ୍ରକୃତ ବନ୍ଧୁଭାବେ କାର୍ଯ୍ୟ କରିଆସିଛନ୍ତି। ଶାନ୍ତିରକ୍ଷା, ବିଶ୍ୱରେ ସ୍ଥିରତା କ୍ଷେତ୍ରରେ ଆମେ ସବୁବେଳେ ଆଗରେ। ଗଣତନ୍ତ୍ର, ବହୁଳବାଦ, ସମାବେଶିତ, ସ୍ବାଧୀନ ଓ ସ୍ବଚ୍ଛତା କ୍ଷେତ୍ରରେ ଭାରତ ଓ ୟୁରୋପ ସଂଘ ସବୁବେଳେ ଏକ। ମହାମାରୀ କରୋନା ସମୟରେ ଭାରତ ୧୫୦ ଦେଶକୁ ଔଷଧ ପଠାଇଛି। ବିଶ୍ୱକୁ ସହଯୋଗ କରିବା ଲାଗି ଭାରତୀୟ ଫାର୍ମା କମ୍ପାନୀଗୁଡ଼ିକ ପ୍ରସ୍ତୁତ ଅଛନ୍ତି। ଆର୍ଥତ୍କ ପୁନରୁଦ୍ଧାର ଲାଗି ଭାରତ ଓ ୟୁରୋପ ସଂଘ ମଧ୍ୟରେ ସହଯୋଗର ବିଶେଷ ଆବଶ୍ୟକତା ରହିଥିବା ମୋଦି କହିଛନ୍ତି। ଏଥିସହ ଜୟବାୟୁ ପରିବର୍ତ୍ତନ, ଅକ୍ଷୟ ଶକ୍ତି ଭଳି ଦୀର୍ଘକାଳୀନ ପଦକ୍ଷେପ ଲାଗି ବିଶ୍ୱ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଯାଉଛି। ଏଥିଲାଗି ବିପୁଳ ପୁଞ୍ଜିନିବେଶ ଓ କାରିଗରି କୌଶଳର ଆବଶ୍ୟକତା ରହିଛି। ସହଭାଗିତା ଭିତ୍ତିରେ ଏସବୁ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ମୋଦି ସମିଟ୍‌ରେ ପ୍ରକାଶ କରିଛନ୍ତି।

Share