କରୋନା ଅଣାୟତ୍ତ: ୨୦ ଦିନରେ ୨୦ ଲକ୍ଷ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୧୮।୭: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଆସନ୍ତା ୨୦ ଦିନରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇ ୨୦ ଲକ୍ଷ ଛୁଇଁବାର ଆଶଙ୍କା ଥିବା ପୂର୍ବାନୁମାନ କରାଯାଇଛି। ପୂର୍ବରୁ କେରଳର ଡାଟା ବିଶେଷଜ୍ଞ ଜେମ୍ସ୍‌ ଓ୍ବିଲସନ୍‌ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଜୁଲାଇ ଚତୁର୍ଥ ସପ୍ତାହରେ ୧୦ ଲକ୍ଷ ଟପିବ ବୋଲି ଅନୁମାନ କରିଥିଲେ। ତେବେ ଏହାର ୫ ଦିନ ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାରରୁ ଅଧିକ ହୋଇଛି। ଏବେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୮ ହଜାରରୁ ଅଧିକ ରହୁଛି। ଏହି ଧାରା ଜାରି ରହିଲେ ୨୦୨୧ ଜାନୁୟାରୀ ବେଳକୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ଟପଯିବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ଏନେଇ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲର ଡ. ଯୁଗଳ କିଶୋର କହିଛନ୍ତି ଯେ, ଭାରତ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣର ଶୀର୍ଷରେ ପହଞ୍ଚିି ନାହିଁ। ଦେଶର ଅବସ୍ଥା ଆମେରିକା ଏବଂ ଇଟାଲୀଠାରୁ ଅଧିକ ଭୟଙ୍କର ହେବାର ମଧ୍ୟ ଆଶଙ୍କା ଥିବା ସେ କହିଛନ୍ତିି।

Share