ପୁଣି ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୭୬୯୭କୁ ବୃଦ୍ଧି

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁସଂଖ୍ୟା କମୁନି। ଆଜି ସର୍ବାଧିକ ୬୯ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୬୯୭କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ଶୁକ୍ରବାର କଟକରୁ ସର୍ବାଧିକ ୩୮ ଜଣଙ୍କ ଜୀବନ ନେଇଛି କରୋନା। ସେହିପରି ଜଗତସିଂହପୁରରୁ ୯, ଢେଙ୍କାନାଳରୁ ୬, ଯାଜପୁର, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜରୁ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଏବଂ ଅନୁଗୋଳରୁ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀ, କେନ୍ଦୁଝର ଏବଂ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୦୪,୮୭୫ରେ ପହଞ୍ଚିଥିବା ବେଳେ ୯,୮୮,୮୫୪ଜଣ ସୁସ୍ଥ ହୋଇଛନ୍ତି। ୮୨୭୧ ଜଣ ଚିକିିତ୍ସିତ ହେଉଛନ୍ତି। ୭୬୯୭ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।