ସେବାୟତଙ୍କୁ କରୋନା: ୩ ଦିନ ସାଧାରଣ ଦର୍ଶନ ବନ୍ଦ

ଆରଡ଼ି,୧୫।୪: ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ସକାଳ ୮ଟାରୁ ୩ ଦିନ ପାଇଁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଘୋଷଣା କରାଯାଇଛି। ସେବାୟତମାନେ ଯଥାରୀତି ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ। ହେଲେ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଯାଇ ବାବାଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରଶାସନର ଏଭଳି ନିଷ୍ପତ୍ତିକୁ ପ୍ରତିବାଦ କରିଛନ୍ତି ସେବାୟତ। ଜୀବନ ଜୀବିକାକୁ ନେଇ ପ୍ରଶାସନ ଖେଳ ଖେଳୁଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ସେବାୟତମାନେ ଗୁରୁବାର ମନ୍ଦିର ଦକ୍ଷିଣଦ୍ୱାର ସମ୍ମୁଖରେ ଧାରଣାରେ ବସି ରହିଥିଲେ। ମନ୍ଦିର ବନ୍ଦ ନିର୍ଦ୍ଦେଶ ପ୍ରତ୍ୟାହାର ନ ହେଲେ ଠାକୁରଙ୍କ ନୀତିକାନ୍ତି କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ କୋଭିଡ୍‌ ଆକ୍ରାନ୍ତ ସେବାୟତ କେଉଁଆଡ଼େ ଚାଲିଯାଇଥିବା କିଛି ସେବାୟତ ପ୍ରକାଶ କରିଛନ୍ତି। ପ୍ରଶାସନ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା କରିବା ସହ ତୁରନ୍ତ ସମସ୍ତ ସେବାୟତଙ୍କ ଟେଷ୍ଟ କରାଇବାକୁ ଦାବି କରିଛନ୍ତି। ଧୂଷୁରୀ ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ସିଂ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ସେବାୟତମାନେ ଧାରଣାରୁ ଉଠିଥିଲେ। ସେବାୟତମାନେ କୋଭିଡ୍‌ ସମ୍ବନ୍ଧୀୟ କଟକଣାରେ ସହଯୋଗ କରିବା ସହ ଧାରଣାରୁ ନିବୃତ୍ତ ରହିବାକୁ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ କହିଛନ୍ତି।