ମୃତବ୍ୟକ୍ତିଙ୍କ ନମୁନା ପଜିଟିଭ୍‌: ଗ୍ରାମବାସୀ ଭୟଭୀତ

ଚୌଦ୍ୱାର,୨୩।୮(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ୨ନଂ. ୱାର୍ଡ କୁମ୍ଭାରସାହିରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ସାହିପଡ଼ିଶାଙ୍କ ସହାୟତାରେ ତାଙ୍କର ଅନ୍ତିମ ସଂସ୍କାର ସ୍ଥାନୀୟ ଶ୍ମଶାନରେ କରିଥିଲେ। ଶନିବାର ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୂଚନାଯୋଗ୍ୟ, ମୃତ ବ୍ୟକ୍ତି ଜଣକ ଯାଜପୁର ଜିଲା ସୁକିନ୍ଦାରେ ଏକ ମାଇନ୍ସରେ କାର୍ଯ୍ୟ କରୁଥିଲେ। ତାଙ୍କର ଦେହ ଖରାପ ହେବାରୁ ସେ ଚୌଦ୍ୱାର ଘରକୁ ଚାଲି ଆସିବା ସହ ସ୍ବାବ ଟେଷ୍ଟ ପାଇଁ କଟକ ଯାଇଥିଲେ। ଗୁରୁବାର ସନ୍ଧ୍ୟାରେ ହଠାତ୍‌ ତାଙ୍କ ଦେହ ଅଧିକ ଖରାପ ହେବାରୁ ସ୍ଥାନୀୟ ଏକ ମେଡିସିନ ଦୋକାନରେ ଇଞ୍ଜେକ୍ସନ ନେଇ ଘରକୁ ଫେରିଥିଲେ ହେଁ କିଛି ସମୟ ପରେ ମୃତ୍ୟୁ ହୋଇଯାଇଥିଲା। ପରେ ରିପୋର୍ଟ ପଜିଟିଭ ଜଣାପଡ଼ିବାରୁ ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି। ଖବରପାଇ ପୌର କର୍ମଚାରୀ ତାଙ୍କ ଘରେ ପହଞ୍ଚି ମୃତକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ସଙ୍ଗରୋଧରେ ରହିବା ପାଇଁ କୁହାଯିବାରୁ ଗୃହ ସଙ୍ଗରୋଧରେ ରହିବା ପାଇଁ ସେମାନେ କହିଥିଲେ।