ବ୍ରହ୍ମପୁରରେ ସଙ୍ଗିନ ହେଉଛି କରୋନା ସ୍ଥିତି

ବ୍ରହ୍ମପୁର ଅଫିସ,୨୫ା୬-ବ୍ରହ୍ମପୁରରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହରର ଭିଡ ନିୟନ୍ତ୍ରଣ କରିବା ନେଇ ବୁଧବାର ବିଳମ୍ବିତ ରାତ୍ରିରୁ ପ୍ରଶାସନ ପକ୍ଷରୁ ସହରର ଜନଗହଳିପୂର୍ଣ୍ଣ ଗଳିର ମୁହଁକୁ ସିଲ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସହରର ପ୍ରମୁଖ ୧୨ଟି ରାସ୍ତାକୁ ସିଲ କରିବା ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଗୁରୁବାର ସନ୍ଧ୍ୟା ସୁଧା ସହରର କମାପଲ୍ଲୀରୁ ଗୋଇଲୁଣ୍ଡିକୁ ସଂଯୋଗ ରାସ୍ତା, ନୂଆବସଷ୍ଟାଣ୍ଡ କାଳୀମନ୍ଦିର ରାସ୍ତା, ରାମନଗର ବାଇପାସ ରାସ୍ତାକୁ ସିଲ କରାଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଗୁରୁବାର ମଧ୍ୟ ରାତ୍ର ସୁଧା ଲୋହିଆ ବ୍ରଦର୍ଶ, ଅର୍ଣ୍ଣପୂର୍ଣ୍ଣାମାର୍କେଟ, ୱାନ ୱେ ଟ୍ରାଫିକ ରୋଡ, ଗିରିମାର୍କେଟ ଛକ, ସାନବଜାର ଛକ, ଖାସ୍ପା ସାହି ଛକ, କାଳି ମନ୍ଦିର ଛକ, ହରିଡାଖଣ୍ଡି ଶିବ ମନ୍ଦିର ଛକ, ତାଲୁକା ହସ୍ପିଟାଲ ଛକ, ଶ୍ରୀରାମ ନଗର ଛକ ପ୍ରମୁଖ ରାସ୍ତା ସିଲ କରିବା ନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ସୂଚନା ମିଳିଛି।