ଛତ୍ରପୁର, ୧୫।୭ (ଦିଲ୍ଲୀପ ସାମଲ ): ଦୀର୍ଘ ବର୍ଷ ଧରି ଥମି ଯାଇଥିବା କରୋନା ଭାଇରସ ରୋଗ (କୋଭିଡ)ର ସଂକ୍ରମଣ ପୁଣି ଥରେ ଆରମ୍ଭ ହୋଇଥିବା ଜଣାପଡିଛି। ଆନ୍ଧ୍ରରେ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ପରେ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଗଞ୍ଜାମ ଜିଲା ନିମନ୍ତେ ହାଇଆଲର୍ଟ ଜାରି କରିଛନ୍ତି।
ବୁଧବାର ସ୍ଥାନୀୟ ଉପକଣ୍ଠ ଚିକିତ୍ସାଳୟ ଅଧିକ୍ଷକ ଡଃ ଅଲେଖ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ ସରକାରୀ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ସତର୍କ ରହିବାକୁ ମୁଖ୍ୟ ଜିଲା ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଶାସ ସମ୍ବନ୍ଧୀୟ ରୋଗୀଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ତୀବ୍ର ଶାସକ୍ରିୟା ସଂକ୍ରମଣ ବା ‘ସାରି’ ରୋଗୀଙ୍କ ପାଇଁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ତାହା ସହିତ ଯେଉଁ ରୋଗୀଙ୍କ ଭିତରେ ଇନଫ୍ଲୁଏଞ୍ଜା ଭଳି ଅସୁସ୍ଥତା ବା ଆଇ.ଏଲ.ଆଇ. ଲକ୍ଷଣ ଦେଖାଯାଏ ସେମାନଙ୍କ ମଧ୍ୟରୁ ଅତି କମରେ ୫% ରୋଗୀଙ୍କୁ ପରୀକ୍ଷା କରିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।
ଅକ୍ସିଜେନ, ଔଷଧ ଓ ଜରୁରୀ ଚିକିତ୍ସା ସାମଗ୍ରୀ ଭଳି ଅତ୍ୟାବଶ୍ୟକ ସେବା ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସଂକ୍ରମଣ ଉପରେ ତୀକ୍ଷ୍ଣ ନଜର ରଖିବା ନିମନ୍ତେ ଦୈନିକ ରିପୋର୍ଟ ଦାଖଲ କରିବାକୁ ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଚିଠି ଲେଖି ବିଭାଗ ଅବଗତ କରାଇଛନ୍ତି ବୋଲି ଡଃ ପ୍ରଧାନ ସୂଚନା ଦେଇଛନ୍ତି।