କଟକଣା କୋହଳ ପରେ ଚାଇନାରେ କରୋନା ଆତଙ୍କ…

ବେଜିଂ,୧୧।୧୨ : ଚାଇନାରେ କରୋନା କଟକଣା କୋହଳ ପରେ ପୁଣି ଥରେ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସଂକ୍ରମିତ ଲୋକଙ୍କ ସଂଖ୍ୟା ଉଦବେଗଜନକ ହାରରେ ବୃଦ୍ଧି ପାଇବାରେ ଲାଗିଛି। ଔଷଧ ପାଇଁ ଦୋକାନରେ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଅଭାବ ଯୋଗୁ ଉପଲବ୍ଧ ଔଷଧ ଏବଂ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଛି।

କୁହାଯାଉଛି ଯେ କରୋନା ଲକଡାଉନ କୋହଳ ହେବା ପରେ ବଜାରରେ ଭିଡ଼ ବଢ଼ିବା ଯୋଗୁ ହଠାତ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ଚାଇନା ସରକାର ପୁଣି ଥରେ କଠୋର ହେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଲକଡାଉନ ଲାଗି ସରକାର ବିଚାର କରୁଛନ୍ତି।

ଚାଇନାର ରାଜଧାନୀ ବେଜିଂରେ ଥିବା ଦୋକାନଗୁଡ଼ିକ ପାଇଁ ରବିବାର ଏକ ସାଧାରଣ ବ୍ୟବସାୟ ଦିବସ। ସାଧାରଣତଃ ବୁଟିକ ଏବଂ କାଫେରେ ଭିଡ଼ ଲାଗିଥାଏ। କିନ୍ତୁ କରୋନା ମାମଲାରେ ବୃଦ୍ଧି ହେତୁ ଲୋକମାନେ ଭୟଭୀତ ହେବା ଆରମ୍ଭ କରି ନିଜର ବ୍ୟବସାୟ ବନ୍ଦ କରିବାକୁ ଲାଗିଛନ୍ତି। ବଡ଼ ମଡ଼ ମଲରେ କୌଣସି ଲୋକ ନ ଥିଲେ। ଅନେକ ସେଲୁନ, ରେଷ୍ଟୁରାଣ୍ଟ ଏବଂ ଖୁଚୁରା ଦୋକାନ ବନ୍ଦ ଥିବା ଦେଖାଯାଇଥିଲା।

ଏଥି ସହିତ ସଂକ୍ରମଣ ପରେ ଅନେକ ଦୋକାନ ମଧ୍ୟ ପ୍ରଶାସନ ପକ୍ଷରୁ ଜୋର ଜବରଦସ୍ତ ବନ୍ଦ ହୋଇଯାଉଛି। ଜନଗହଳି ପୂର୍ଣ୍ଣ ସ୍ଥାନରେ କରୋନା ପରୀକ୍ଷା ବୃଦ୍ଧି କରାଯାଇଛି । ସମସ୍ତ ଦୋକାନ ଏବଂ ପ୍ରତିଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିପାଇଁ ସରକାର କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି। କିଛି ଜରୁରୀ କାର୍ଯ୍ୟ ଥିଲେ ହିଁ ସେମାନଙ୍କୁ ଘରୁ ବାହାରକୁ ଯିବାକୁ କୁହାଯାଇଛି। ଏଥିସହ ଲୋକଙ୍କ ପରୀକ୍ଷା ଜୋରଦାର କରାଯାଇଛି। ଦେଶରେ ଶହ ଶହ କ୍ୱାରାଣ୍ଟାଇନ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଉଛି।

Share