କରୋନା ସଂକ୍ରମଣ: ହରିୟାଣା-କେରଳ-ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ…

ନୂଆଦିଲ୍ଲୀ,୯।୪ : ପୁଣିଥରେ ଦେଶରେ କରୋନା ମାମଲାରେ ବୃଦ୍ଧି ଘଟିଛି। ପ୍ରତିଦିନ ପାଞ୍ଚରୁ ଛଅ ହଜାର ଲୋକ ସଂକ୍ରମିତ ହେଉଥିବା ଜଣାପଡିଛି। ମୃତ୍ୟୁସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟ ସରକାର ପୁଣି ଥରେ କଠୋର ନିୟମ ଘୋଷଣା କରୁଛନ୍ତି। ଚଳିତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିବା ପରେ ରାଜ୍ୟମାନଙ୍କୁ ସତର୍କ ରହିବାକୁ କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏପ୍ରିଲ ୧୦ ଏବଂ ୧୧ ରେ ଦେଶର ଡାକ୍ତରଖାନାଗୁଡ଼ିକରେ ପ୍ରସ୍ତୁତିର ଆକଳନ କରିବାକୁ ମକ ଡ୍ରିଲ କରିବାକୁ ଘୋଷଣା କରିଛି।

ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ହରିୟାଣା, କେରଳ ଏବଂ ପୁଡୁଚେରୀ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି। ହରିୟାଣା ସରକାରଙ୍କ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। କରୋନା ରୋକିବା ପାଇଁ ଆବଶ୍ୟକ ନିୟମ ମାନିବାକୁ ସରକାର ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି। ଏହାକୁ ତଦାରଖ କରିବାକୁ ସରକାର ଜିଲା ଓ ପଞ୍ଚାୟତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ଗର୍ଭବତୀ ମହିଳା, ବରିଷ୍ଠନାଗରିକ ଏବଂ ଶାରୀରିକ ସମସ୍ୟାରେ ପୀଡିତ ବ୍ୟକ୍ତିଙ୍କ ପାଇଁ କେରଳ ସରକାର ମଧ୍ୟ ମାସ୍କ ବାଧ୍ୟତାମୂଳକ କରିଛନ୍ତି। ରାଜ୍ୟରେ କରୋନା ସ୍ଥିତିର ଆକଳନ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ କରିବା ପରେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ କହିଛନ୍ତି ଯେ କୋଭିଡ ସମ୍ବନ୍ଧୀୟ ଅଧିକାଂଶ ମୃତ୍ୟୁ ୬୦ ବର୍ଷରୁ ଅଧିକ ବୟସରେ ଏବଂ ମଧୁମେହ ଭଳି ସମସ୍ୟାରେ ପୀଡିତଙ୍କ କ୍ଷେତ୍ରରେ ଦେଖାଯାଉଛି। ଅମ୍ଳଜାନର ଉପଲବ୍ଧତା ନିଶ୍ଚିତ କରିବାକୁ ଜର୍ଜ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଖୁବ ଶୀଘ୍ର ଘରୋଇ ଡାକ୍ତରଖାନାର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି।

ଏହା ବ୍ୟତୀତ ପୁଡୁଚେରୀ ପ୍ରଶାସନ ମଧ୍ୟ କଡା ପଦକ୍ଷେପ ଆରମ୍ଭ କରିଛି। ପୁଡୁଚେରୀ ପ୍ରଶାସନ ତୁରନ୍ତ ପ୍ରଭାବ ସହିତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଏକ ବିବୃତ୍ତିରେ ପ୍ରଶାସନ କହିଛି ଯେ ଡାକ୍ତରଖାନା, ହୋଟେଲ, ରେଷ୍ଟୁରାଣ୍ଟ, ମଦ ଦୋକାନ, ଆତିଥ୍ୟତା ପ୍ରଦାନ କାରୀ ସଂସ୍ଥା, ମନୋରଞ୍ଜନ କ୍ଷେତ୍ର, ସରକାରୀ କାର୍ଯ୍ୟାଳୟ ଏବଂ ବାଣିଜି୍ୟକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ।

Share