ଶିମିଳିପାଳ ବଫର ଅଞ୍ଚଳରେ ପଶିଲା କରୋନା: ଖଡ଼ିଆ ସମ୍ପ୍ରଦାୟର ୧୬ ସଂକ୍ରମିତ

ବାରିପଦା ଅଫିସ,୧୯ା୫- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ବଫର ଇଲାକାରେ ରହୁଥିବା ଖଡ଼ିଆ ଜନଜାତି ସମ୍ପ୍ରଦାୟର ଲୋକେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୁଇକ୍‌ ରେସ୍‌ପଣ୍ଡ ଡାକ୍ତରୀଦଳ ଗାଁକୁ ଗାଁ ବୁଲି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରୁଥିବା ବେଳେ ଆଶାକର୍ମୀ ସେମାନଙ୍କର ଜ୍ୱର, ଥଣ୍ଡା, କାଶ ଆଦିର ପରୀକ୍ଷା କରି ଔଷଧ ବିତରଣ କରୁଛନ୍ତି।
ସୂଚନା ଅନୁଯାୟୀ, ଅଭୟାରଣ୍ୟର ବଫର ଇଲାକାର ଲୁଲୁଙ୍ଗ, କାକରପାଣି, କୋଚିଲାଘାଟି, ତାରାଯୋଡ଼ି, ଗୋଡ଼ିପୋଖରୀ ଆଦି ଗ୍ରାମର ଲୋକେ ଶାମାଖୁଣ୍ଟା ବ୍ଲକ ଅଧୀନ ରଙ୍ଗାମାଟିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସୁଛନ୍ତି। ସେଥି ମଧ୍ୟରୁ ଲାଲପାଣି ଗ୍ରାମର ଜଣଙ୍କର ସ୍ବାବ୍‌ ପରୀକ୍ଷାରୁ ପଜିଟିଭ୍‌ ଚିହ୍ନଟ ପରେ ଡାକ୍ତରୀଦଳ ଗାଁକୁ ଯାଇ ଅନ୍ୟମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ବାବ୍‌ ଟେଷ୍ଟରୁ ୧୬ ଜଣଙ୍କର ପଜିଟିଭ୍‌ ବାହାରିଥିଲା। ଏବେ ସମସ୍ତେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହି ଚିକିତ୍ସିତ ହେଉଛନ୍ତି। କରୋନାର ପ୍ରଥମ ଲହର ଉକ୍ତ ଅଞ୍ଚଳକୁ ଛୁଇଁ ପାରି ନ ଥିବା ବେଳେ ଦ୍ୱିତୀୟ ଲହରରେ ଖଡ଼ିଆ ଜନଜାତିର ଲୋକେ ଆକ୍ରାନ୍ତ ହୋଇପଡ଼ିଛନ୍ତି। ନିକଟସ୍ଥ ହାଟ ବଜାର ଓ କାମ ଅନ୍ବେଷଣ ପାଇଁ ବାହାରକୁ ଯାଉଥିବା ଯୋଗୁ ଲୋକେ ସଂକ୍ରମିତ ହୋଇଥିବା ଡାକ୍ତରୀ ଦଳର ଅଧିକାରୀ ପ୍ରକାଶ କରିଛନ୍ତି ା ତେବେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଭାଗ ସଜାଗ ରହିଥିବା ନେଇ ଡାକ୍ତରୀ ଦଳର ମୁଖ୍ୟ ଡା. ଉତ୍ତମ କୁମାର ଦାଶ ପ୍ରକାଶ କରିଛନ୍ତି ା ଜିଲାରେ ଅନେକ ଆଦିମ ଜନଜାତିର ଲୋକେ ବିଭିନ୍ନ ଉପାନ୍ତ ଅଞ୍ଚଳରେ ରହୁଥିବା ବେଳେ ସେମାନଙ୍କୁ ସଚେତନ କରିବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।