ପୁଣି ଫେରିବ କରୋନା କଟକଣା, ମୁଖ୍ୟମନ୍ତ୍ରୀ-ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ସୂଚନା…

ମୁମ୍ବାଇ, ୧।୫ : ମହାରାଷ୍ଟ୍ରରେ ପୁଣି କରୋନା କଟକଣା ଫେରିବାକୁ ଯାଉଛି। ଏଠାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇପାରେ। କରୋନା ସଂକ୍ରମଣ ବୃଦ୍ଦି ପାଉଥିବାରୁ ପୁଣି ମାସ୍କର ନିୟମ ଲାଗୁ ହେବ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି। ଶନିବାର ରାଜ୍ୟରେ ୧୫୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ଅନୁଯାୟୀ, ଟୋପେ କହିଛନ୍ତି, ସଂକ୍ରମଣ ବଢୁଥିବାରୁ ଏବେ ଆମକୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିବାକୁ ପଡିବ। ଟିକାକରଣ ଶୀଘ୍ର କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବାହାରକୁ ଯିବାବେଳେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ।

ମହାମାରୀର ଚତୁର୍ଥ ଲହର ଯେପରି ନଆସେ ସେନେଇ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଥିବା ସେ କହିଥିଲେ। ନିକଟରେ ସେ ରାଜ୍ୟର ବହୁ ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ମଧ୍ୟ କରିଥିଲେ। ସେ କହିଥିଲେ, କରୋନା ସଙ୍କଟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତେଣୁ ସଂକ୍ରମଣରୁ ଦୂରେଇ ରହିବା ଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଶନିବାର ମହାରାଷ୍ଟ୍ରରେ ୧୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ସ୍ବାସ୍ଥ୍ୟ ବିଭାଗ କହିଛି ଯେ ରାଜ୍ୟରେ ସଂକ୍ରମଣ ମାମଲା ୭୮,୭୭.୭୩୨ କୁ ବୃଦ୍ଧି ପାଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୧,୪୭,୮୪୩ ଛୁଇଁଛି।

Share