ଗଞ୍ଜାମରେ ବୋଲ ମାନୁନି କରୋନା: ଆଜି ୧୦ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହୋଇ ପଡ଼ିଲାଣି। ଶୁକ୍ରବାର ୩୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦ ହଜାର ଟପିଛି। ରାଜ୍ୟର ପ୍ରଥମ ଜିଲା ଭାବେ ଜିଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୩୬୪ରେ ପହଞ୍ଚିଛି। ସେଥିରୁ ୭୧୩୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୧୩୪ ଆକ୍ଟିଭ୍‌ କେସ୍‌ ରହିଛି। ସେହିଭଳି ଜିଲାରୁ ସର୍ବାଧିକ କରୋନା ମୃତ୍ୟୁ ମଧ୍ୟ ହୋଇଛି। ୯୪ଜଣ କରୋନାରେ ପ୍ରାଣ ହରାଇ ଥିବା ବେଳେ ଅନ୍ୟ ରୋଗରେ ୬ଜଣଙ୍କ ଜୀବନହାନି ଘଟିଛି।

ସେହିଭଳି ସଂକ୍ରମିତ ମାମଲାରେ ଖୋର୍ଦ୍ଧା ଦ୍ୱିତୀୟ ସ୍ଥାନରେ ରହିଛି। ଜିଲାରୁ ମୋଟ ୪୨୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୬୭୪ ସୁସ୍ଥ ହୋଇଥିବା ବେଳେ ୨୪୯୬ ଚିକିତ୍ସାଧୀନ ଅଛନ୍ତି। ଏହାପରେ କଟକରେ ୨୦୭୧, ଗଜପତିରେ ୧୪୦୨, ସୁନ୍ଦରଗଡ଼ରେ ୧୩୭୩, ଯାଜପୁରରେ ୧୨୪୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପ୍ରକାଶ ଯେ, ଶୁକ୍ରବାର ରାଜ୍ୟରେ ୧୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧,୮୭୭କୁ ବୃଦ୍ଧି ପାଇଛି। ସେଥିରୁ ୧୧,୯୧୭ ଆକ୍ଟିଭ୍‌ କେସ୍‌ ରହିଛି। ମୃତ୍ୟୁ ସଂଖ୍ୟା ୧୭୭ ହୋଇଛି।