କରୋନାର ଆୟୁର୍ବେଦୀୟ ଚିକିତ୍ସା

କରୋନା ଅର୍ଥ ବଳୟ। ଗ୍ରହଣ ବେଳେ ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ବଳୟ ଘେରି ରହିଥାଏ। ସେହି ଆକାର ଭୂତାଣୁ ପ୍ରାଣୀଙ୍କଠାରେ ଦେଖାଦେଇଥାଏ। ଏପରି ଭୂତାଣୁ ପ୍ରାଣୀ ବା ବାଦୁଡିଠାରୁ ମନୁଷ୍ୟକୁ ଚାଇନାରେ ସଂକ୍ରମିତ ହୋଇଥିଲା। ତା’ପରେ ତାହା ମନୁଷ୍ୟରୁ ମନୁଷ୍ୟକୁ କ୍ରମଶଃ ସଂକ୍ରମିତ ହୋଇଚାଲିଛି। ଏହା ମୁଖ୍ୟତଃ ଶ୍ୱସନ ସଂସ୍ଥାନକୁ ସଂକ୍ରମିତ କରି ଅକାମୀ କରିଦିଏ। ଏହାଦ୍ୱାରା ରୋଗୀର ଶ୍ୱାସଜନିତ ମୃତ୍ୟୁ ହୋଇଥାଏ। ଏହି ସଂକ୍ରମିତ ବ୍ୟକ୍ତିର କାଶ, ଛିଙ୍କରୁ ବାହାରୁ ଥିବା କ୍ଷୁଦ୍ର କଣିକା କୌଣସି ଉପାୟରେ ନାସା ଓ ମୁଖ ଦେଇ ସୁସ୍ଥ ବ୍ୟକ୍ତି ଶ୍ୱାସନଳୀରେ ପ୍ରବେଶ କଲେ ସେ ସଂକ୍ରମିତ ହୋଇଥାଆନ୍ତି।
ଏହି ରୋଗର ଟିକା ଏବଂ ଔଷଧ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ରୂପେ ନିରୂପଣ କରାଯାଇପାରିନାହିଁ। ଏଥିରୁ ରକ୍ଷା ପାଇବାକୁ ହେଲେ ବ୍ୟକ୍ତି ଘରୁ ନ ବାହାରି ଘରେ ମଧ୍ୟରେ ରହିବା ଆବଶ୍ୟକ। ବାହାରକୁ ବାହାରିଲେ ମୁହଁରେ ରୁମାଲ, ମାସ୍କ ବାନ୍ଧି ବାହାରନ୍ତୁ। ପ୍ରତ୍ୟେକ ଦିନ ସେହି ମାସ୍କ କିମ୍ବା ରୁମାଲକୁ ଭଲ ଭାବରେ ଡେଟଲ ପାଣିରେ ସଫା କରନ୍ତୁ। ସାବୁନ ନ ହେଲେ ହ୍ୟାଣ୍ଡଓ୍ବାଶରେ ହାତକୁ ଭଲ ଭାବରେ ଧୁଅନ୍ତୁ। ସାନିଟାଇଜର ବ୍ୟବହାର କରନ୍ତୁ। ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ। ଏହାବ୍ୟତୀତ ଏହି ରୋଗକୁ ପ୍ରତିହତ କରିବା ପାଇଁ ଦୈନିକ ୩/୪ଥର ଉଷୁମ ଲୁଣ ପାଣିରେ କୁଳି କରିବେ। ତେଜପତ୍ର, ଅଦା, ମିଶ୍ରି, ଅଗସ୍ତିଫୁଲ, ତୁଳସୀଜଟା ଓ ଗୋଲମରିଚ ଫୁଟାଇ ଉଷୁମ କରି ଚା ପରି ଦେଢ଼ କପ ଦୈନିକ ଦୁଇ ଥର ପାନ କରିବେ। ଥଣ୍ଡା ପ୍ରତି ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଦୈନିକ ସକାଳେ ତୁଳସୀପତ୍ର ୧୦ଟି ଓ ବାସଙ୍ଗ ପତ୍ର ୩ଟିର ସ୍ବରସ ମହୁ ସହ ମିଶାଇ ପାନ କରିବେ। ଏହାବ୍ୟତୀତ ଅଭିଜ୍ଞ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମହାଲକ୍ଷ୍ମୀ ବିଳାସ ରସ, ମକରଧ୍ୱଜ, ମୃତ୍ୟୁଞ୍ଜୟ ରସ, କଫକେତୁ, କଫ ଚିନ୍ତାମଣି ମାତ୍ରାନୁସାରେ ମହୁ ସହ ସେବନ କଲେ ମଧ୍ୟ ଏହି ରୋଗରୁ ରକ୍ଷା ପାଇପାରିବ।
– ଡା. ଆଶିଷ ବାନାର୍ଜୀ
ଆନନ୍ଦବଜାର, ବେତନଟୀ, ମୟୂରଭଞ୍ଜ

Share