କୋକସରାରେ ରଥଯାତ୍ରା: ଶୃଙ୍ଖଳାର ସହ ପରିଚାଳନା ଲାଗି ବସିଲା ସମନ୍ବୟ ବୈଠକ

କୋକସରା,୨୮।୬(ଡି.ଏନ.ଏ.): ଆସନ୍ତା ଜୁଲାଇ ପହିଲାରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏହାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ମଙ୍ଗଳବାର କୋକସରା ବ୍ଲକ ବିଡିଓ ମନୀଷା ଦାସଙ୍କ ଅଧ୍ୟକ୍ଷତାରେ ସମନ୍ବୟ ବୈଠକ କୋକସରା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ପ୍ରତି ରଥଯାତ୍ରା କମିଟି ପକ୍ଷରୁ ସ୍ବେଚ୍ଛାସେବୀ ଯୁବକ ସମେତ ସ୍ବୟଂ ସହାୟକ ଗୋଷ୍ଠିର ମହିଳାଙ୍କୁ ରଥଯାତ୍ରା ପରିଚାଳନା ପାଇଁ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ରହିବେ। କୋକସରା ବ୍ଲକର ବିଭିନ୍ନ ରଥଯାତ୍ରା କମିଟିର ସଦସ୍ୟମାନଙ୍କ ସହିତ ଏହି ବୈଠକରେ କୋକସରା ଅତିରିକ୍ତ ତହସିଲଦାର କମଳାସନ ରଥ, ଜିପିଓ ନାରାୟଣ ଭୋଇ, ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଦେହୁରୀ, କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ, ଜନସୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ସମେତ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ତ୍ରିନାଥ ପ୍ରସନ୍ନ ରାୟ, ଜିତେନ୍ଦ୍ର ପଣ୍ଡା ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।