ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଯେତେବେଳେ ସମଗ୍ର ଭାରତରେ ସମବାୟ ସମିତିଗୁଡ଼ିକୁ ସମାବେଶୀ ବିକାଶର ଆଧୁନିକ ଅନୁଷ୍ଠାନ ଭାବରେ ପୁନଃ ପରିକଳ୍ପନା କରାଯାଉଛି ସେତେବେଳେ ‘ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୬’ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ସୁଦୃଢ଼ କରିବା କ୍ଷେତ୍ରରେ ଏକ କ୍ରାନ୍ତିକାରୀ ପଦକ୍ଷେପ ନେଇଛି। ରାଜ୍ୟରେ ଉତ୍ତମ ସମନ୍ବୟ ସମ୍ଭବ ହେବା ସହିତ ସମବାୟ ସଂସ୍ଥାଗୁଡ଼ିକ ଏବେ ବହୁମୁଖୀ କେନ୍ଦ୍ର ଭାବରେ ବିକଶିତ ହେବା ସ୍ଥିତିରେ ଅଛନ୍ତି, ଯାହା ଗୋଟିଏ ଛାତ ତଳେ ଋଣ ଲଗାଣ, କୃଷି ସାମଗ୍ରୀ ସଂରକ୍ଷଣ, ପ୍ରକ୍ରିୟାକରଣ ଏବଂ ବିପଣନ, ପ୍ରାଥମିକ ସମବାୟ ସମିତି ସ୍ତରରୁ ଉତ୍ପାଦିତ ପଦାର୍ଥ ବୟନଶିଳ୍ପ, କୁଟୀର ଶିଳ୍ପ, ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକ ସିଧାସଳଖ ବିଦେଶକୁ ରପ୍ତାନି ହେବା ସଙ୍ଗେ ସଙ୍ଗେ କଞ୍ଚାମାଲ ଆମଦାନୀ କରାଯାଇପାରିବ। ଓଡ଼ିଶାରେ ସମବାୟ କ୍ଷେତ୍ର ସମ୍ଭବ ହୋଇପାରିଛି ଲୋକଙ୍କ ନେତୃତ୍ୱାଧୀନ ବିକାଶ ଯୋଗୁ। ଆଗକୁ ସମବାୟକୁ ପ୍ରାଣବନ୍ତ, ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ଅନୁଷ୍ଠାନ ଭାବରେ ପୁନଃ ସ୍ଥାପିତ କରିବାର ସମୟ ଆସିଛି। ଯେ କୌଣସି ସମବାୟ ସମିତି ସମସ୍ତ ପ୍ରକାର ବହୁବିଧ କାର୍ଯ୍ୟ କରିବାର ସୁଯୋଗ ସୃଷ୍ଟି କରିବା ପାଇଁ ସମବାୟ ଆଇନରେ ପରିବର୍ତ୍ତନ ସହିତ ଡିଜିଟାଇଜେଶନର ବ୍ୟବସ୍ଥା କରାଯାଇଛି। ଏହି ରୂପାନ୍ତରଣ ଯାତ୍ରାରେ ସକ୍ରିୟଭାବେ ଅଂଶଗ୍ରହଣ କରିବାକୁ ଓଡ଼ିଶାର ସମସ୍ତ ସଭ୍ୟାସଭ୍ୟ, କର୍ମକର୍ତ୍ତା, ପଦାଧିକାରୀ, ସମବାୟବିତ୍‌ ଓ ସହଯୋଗୀମାନେ ପରସ୍ପର ମଧ୍ୟରେ ସହଯୋଗର ହାତ ବଢ଼ାଇ ମିଳିତଭାବେ କାର୍ଯ୍ୟ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ, ସମବାୟ ବିଭାଗର ଶାସନ ସଚିବ, ରାଜ୍ୟ ସମବାୟ ନିବନ୍ଧକ, ରାଜ୍ୟ ସମବାୟ ମହାସମୀକ୍ଷଙ୍କ ସହ ସମସ୍ତ ପଦାଧିକାରୀଙ୍କୁ ଏଥିରେ ସାମିଲ କରାଯାଇଛି। ଓଡ଼ିଶାରେ ସମବାୟ ଚିନ୍ତାଧାରାର ଆରମ୍ଭ ୧୮୯୮ ମସିହା ବୋଲି ବିବେଚନା କରାଯାଏ। ସେହିବର୍ଷ ମଧୁସୂଦନ ଦାସ କଟକରେ କଟକ ସମବାୟ ଭଣ୍ଡାର ପ୍ରତିଷ୍ଠା କରି ରାଜ୍ୟରେ ସମବାୟର ଭିିତ୍ତିଭୂମି ସ୍ଥାପନ କରିଥିଲେ। ୧୯୦୩ରେ ବାଙ୍କୀର ତତ୍‌କାଳୀନ ଡେପୁଟି କଲେକ୍ଟର ରାୟ ବାହାଦୁର ବିଦ୍ୟାଧର ପଣ୍ଡା ଏକ ଗ୍ରାମୀଣ କୃଷିଋଣ ସମବାୟ ସମିତି ଗଠନ କରିଥିଲେ, ଯାହା ଥିଲା ମଧୁସୂଦନଙ୍କ ଚିନ୍ତାଧାରାରେ ଓଡ଼ିଶା ସହିତ ସମଗ୍ର ଭାରତକୁ ସମବାୟିକ କାର୍ଯ୍ୟଧାରାରେ ସାମିଲ କରି ବିକାଶର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାରେ ଏକ ପଦକ୍ଷେପ। ଯେଉଁ ସମୟରେ ଭାରତରେ ସ୍ବାଧୀନତାର ସ୍ବର ବିସ୍ତାରଲାଭ କରିଥିଲା ସେହି ସମୟରେ କୃଷିଋଣ ସମବାୟ ସମିତିମାନ ଗଠନ କରିବା ପାଇଁ ମଧୁସୂଦନ ଦାସ ଲୋକଙ୍କୁ ଏକାଠି କରିିବା ଦ୍ୱାରା ଇଂରେଜ ସରକାରଙ୍କ ଲୋଲୁପଦୃଷ୍ଟି ଏହା ଉପରେ ପଡ଼ିଲା। ଇଂରେଜ ସରକାର ଭାବିନେଲେ ଯେ ମଧୁସୂଦନ ଦାସ ସମବାୟ ସମିତି ଗଠନ ଆଳରେ ଭାରତକୁ ଇଂରେଜ ସରକାରଙ୍କ ଶାସନ କବଳରୁ ମୁକ୍ତ କରିବା ପାଇଁ ଲୋକମେଳି କରାଉଛନ୍ତି। ଏହାକୁ ନିଜ ନିୟନ୍ତ୍ରଣକୁ ନେବାପାଇଁ ଭାରତର ଗଭର୍ନର ଜେନେରାଲ ଲର୍ଡ କର୍ଜନଙ୍କ ସୁପାରିସରେ ବ୍ରିଟିଶ ସଂସଦ ଭାରତୀୟ ଅଞ୍ଚଳ ପାଇଁ ସମବାୟ ସମିତି ଆଇନ ୧୯୦୪ ପ୍ରଣୟନ କରିଥିଲେ।
ଓଡ଼ିଶାରେ ବର୍ତ୍ତମାନ ପ୍ରାୟ ୮୦୦୦ ସମବାୟ ସଂସ୍ଥା ବିଭିନ୍ନ କ୍ଷେତ୍ରରେ ଯଥା- କୃଷିଋଣ, ଗୋପାଳନ, ଡାଏରି, ମତ୍ସ୍ୟପାଳନ, କୁକୁଡ଼ା ପାଳନ, ହସ୍ତତନ୍ତ, ହସ୍ତଶିଳ୍ପ, ବୟନଶିଳ୍ପ, ଗୃହନିର୍ମାଣ, ଚିନିଶିଳ୍ପ, ମହିଳା ବିକାଶ, ଆଦିବାସୀ ବିକାଶ, କର୍ମଚାରୀ କଲ୍ୟାଣ, ଖାଉଟି ସମବାୟ ଭଣ୍ଡାର, ତାରକସି ଶିଳ୍ପ, ପର୍ଯ୍ୟଟନ ଶିଳ୍ପ, ନୌବିହାର ଶିଳ୍ପ, ଶ୍ରମିକ କଲ୍ୟାଣ, ଗୃହ ନିର୍ମାଣ ଏବଂ ଆୟୁର୍ବେଦିକ ଔଷଧ ତିଆରି ସମବାୟ ସମିତିମାନ କାର୍ଯ୍ୟ କରୁଛି। ନିୟାମକ ଓ ସାଂଗଠନିକ ସଂସ୍କାର ମାଧ୍ୟମରେ ସମବାୟ ସମିତିମାନଙ୍କର ଅଭିବୃଦ୍ଧିକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଓଡ଼ିଶା ସମବାୟ ସମିତି ଆଇନ ଏବଂ ପରବର୍ତ୍ତୀ ସଂଶୋଧନଗୁଡ଼ିକ ପଞ୍ଜୀକରଣ, ପରିଚାଳନା ଏବଂ ଦାୟିତ୍ୱ ପାଇଁ ଏକ ସଂରଚିତ ଢାଞ୍ଚା ପ୍ରଦାନ କରୁଛି। ବହୁରାଜ୍ୟ ସମବାୟ ସମିତି ଆଇନ, ବ୍ୟାଙ୍କ ନିୟନ୍ତ୍ରଣ (ସଂଶୋଧନ) ଆଇନ ଏବଂ ‘ସହକାର ସେ ସମୃଦ୍ଧି’ ବା ସହଯୋଗ ମାଧ୍ୟମରେ ସମୃଦ୍ଧି ସାମ୍ପ୍ରତିକ ପ୍ରମୁଖ ପଦକ୍ଷେପ ଭଳି ଜାତୀୟ ସମବାୟ ନୀତି ଏବଂ କେନ୍ଦ୍ରୀୟ ଆଇନ ସମବାୟ କ୍ଷେତ୍ରକୁ ଦିଗ୍‌ଦର୍ଶନ ଦେଇଛି। ଭାରତ ଟ୍ୟାକ୍ସି ଭଳି ସମବାୟ ସଂସ୍ଥା ବହୁଳମାତ୍ରାରେ ନିଯୁକ୍ତି ସୃଷ୍ଟି କରିବ। ଏହି ସମବାୟ ସଂସ୍ଥାରେ ଟ୍ୟାକ୍ସିର ମାଲିକ ତଥା ଡ୍ରାଇଭରମାନେ ସଭ୍ୟ ହୋଇପାରିବେ। ବ୍ୟବସାୟ ଦୃଷ୍ଟିରୁ ଭଡ଼ା ବାବଦକୁ ନଗଦ ଅର୍ଥ ଗ୍ରାହକଙ୍କଠାରୁ ଡିଜିଟାଲ୍‌ ମୋଡ଼ରେ ଆଦାୟ କରାଯାଇ ସୀମିତ ଅର୍ଥ କଟାଯାଇ ଡ୍ରାଇଭରଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବାର ବ୍ୟବସ୍ଥା କରାଯାଇଛି, ଯାହାଫଳରେ ରାଜ୍ୟରେ ଅର୍ଥ ଲଗାଣ ବୃଦ୍ଧି ପାଇବ।
କୃଷି କ୍ଷେତ୍ରରେ ଋଣ ସମବାୟ ସମିତିଗୁଡ଼ିକ ପାଇଁ ସାମଗ୍ରୀ ଯୋଗାଣ, ଋଣ ବଣ୍ଟନ, ଧାନ, ମାଣ୍ଡିଆ, ମୁଗ, ବିରି, ତୈଳବୀଜ ଏବଂ ବାଜରା ସଂଗ୍ରହ କରି ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ନାଫେଡ୍‌ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ନଗଦ ଅର୍ଥରେ ବିକ୍ରୟ କରାଯିବାର ବ୍ୟବସ୍ଥା ହୋଇଛି। ଗ୍ରାମାଞ୍ଚଳରେ ସହଜ ବ୍ୟାଙ୍କ ସେବା ପ୍ରଦାନ ପାଇଁ ରାଜ୍ୟରେ ଥିବା କେନ୍ଦ୍ର ସମବାୟ ବ୍ୟାଙ୍କ ସଂଖ୍ୟା ୩୦କୁ ବୃଦ୍ଧି କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନାବାର୍ଡ ଦ୍ୱାରା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଓଡ଼ିଶା ଭଳି କୃଷିଭିିତ୍ତିକ ଅର୍ଥନୀତିରେ କୃଷି ଋଣ କୃଷି ଉପତ୍ାଦନ ବୃଦ୍ଧିର ଏକ ପ୍ରମୁଖ ବାହକ। ବିଶେଷକରି ଓଡ଼ିଶାର ଅଧିକାଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭାଗଚାଷୀ ଏବଂ ମୌଳିକ ପଟ୍ଟାଧାରୀମାନେ ଋତୁକାଳୀନ କୃଷି କାର୍ଯ୍ୟ ପାଇଁ ସଂସ୍ଥାଗତ ଋଣ ଆବଶ୍ୟକ କରନ୍ତି। ଓଡ଼ିଶାରେ ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ କୃଷିଋଣ ଯୋଗାଇ ଦିଆଯାଉଛି ଏବଂ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ପାଇଁ ଚାଷୀକୁ ଦୁଇ ଶତାଂଶ ସୁଧ ଦେବାକୁ ପଡ଼େ। ମାତ୍ର ଛାଡ଼ ସୁଧକୁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଋଣଛାଡ଼ ଯୋଜନା ମାଧ୍ୟମରେ ବହନ କରି ବ୍ୟାଙ୍କକୁ ଶୁଝନ୍ତି।
ଗ୍ରାମୀଣ ସମବାୟ ସମିତଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟାଳୟ କୋଠା, ଫସଲ ଓ ସାର ରଖିବା ପାଇଁ ଗୋଦାମ ଘର, କୃଷକଙ୍କ ପାଇଁ ବିଶ୍ରାମାଗାର, କଂକ୍ରିଟ୍‌ ପ୍ଲାଟ୍‌ଫର୍ମ, ବୈଷୟିକ ହାର୍ଡୱେର, ସମଗ୍ର ସମିତିକୁ କମ୍ପ୍ୟୁଟରୀକରଣ ସହିତ କେନ୍ଦ୍ର ଡାଟାବେସ୍‌ ସହ ଯୋଡ଼ିବା କାର୍ଯ୍ୟ ଆଗେଇଚାଲିଛି । ରାଜ୍ୟରେ ଥିବା ପର୍ଯ୍ୟଟନ ଶିଳ୍ପକୁ ସମବାୟ ମାଧ୍ୟମରେ ସୁଦୃଢ଼ୀକରଣ କରାଯାଉଛି। ଏହା ଦ୍ୱାରା ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ରାଜ୍ୟ, ଦେଶ ତଥା ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଭାରତ ଟ୍ୟାକ୍ସି ତଥା ଅନ୍ୟାନ୍ୟ ଯାନବାହନ ଦ୍ୱାରା ବୁଲାଇନେବା ସହିତ ଓଡ଼ିଶାର କଳା, ଭାସ୍କର୍ଯ୍ୟ ଓ କାରୁକାର୍ଯ୍ୟ ଖଚିତ ଉପତ୍ାଦିତ ସାମଗ୍ରୀଗୁଡ଼ିକୁ ସୁଲଭ ମୂଲ୍ୟରେ ବିକ୍ରୟ ଏହାର ମୂଳଲକ୍ଷ୍ୟ। ଏହା ଦ୍ୱାରା ବିଦେଶ ମୁଦ୍ରା ଉପାର୍ଜନ କରାଯାଇପାରିବ। ଗୃହନିର୍ମାଣ ସମବାୟ ସମିତି ମାଧ୍ୟମରେ ସଭ୍ୟମାନଙ୍କୁ ଜମି ଓ ଗୃହ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ସମବାୟ ସଦସ୍ୟ, କର୍ମଚାରୀ ଓ ବିଭାଗୀୟ ଅଧିକାରୀଙ୍କୁ ନିୟମିତ ତାଲିମ ପାଇଁ ବିଭିନ୍ନ ସମବାୟଭିତ୍ତିକ ବିକଶିତ ରାଜ୍ୟକୁ ପରିଭ୍ରମଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପନ ପାଇଁ ପ୍ରାଥମିକ ସମବାୟ ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀମାନଙ୍କୁ ଯଥାଶୀଘ୍ର ରାଜ୍ୟ ସମବାୟ ନିବନ୍ଧକ ସାମ୍ବିଧାନିକ କ୍ଷମତା ଦ୍ୱାରା କ୍ୟାଡରଭୁକ୍ତ କରିବା କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରିପାରିଲେ ସମବାୟର ବିକାଶ ଆପଣାଛାଏଁ ଦୃଢ଼ ହେବ। ଏହା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇ କାର୍ଯ୍ୟ କରିଚାଲିଲେ ଓଡ଼ିଶା ୨୦୩୬ ସୁଦ୍ଧା ଆମତ୍ନିର୍ଭର ହୋଇପାରିବ ବୋଲି କେନ୍ଦ୍ର ସରକାରଙ୍କ ମୂଳଲକ୍ଷ୍ୟ।

ପ୍ରତାପ ଚନ୍ଦ୍ର ସାମଲ
ବରିଷ୍ଠ ସମବାୟବିତ୍‌
ମୋ: ୯୦୯୦୩୨୫୮୦୨

Dharitri – Odisha’s No.1 Odia Daily

Share