ମାର୍ଶାଘାଇ,୩ା୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ମାର୍ଶାଘାଇ ବ୍ଲକ କରିଲୋପାଟଣା ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ହସ୍ତାନ୍ତର ନେଇ ବିବାଦ ଘଟଣାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା କେନ୍ଦ୍ରାପଡ଼ା ଉପ ଜିଲାପାଳ ଅରୁଣ ନାୟକ ବୁଧବାର ମହାବିଦ୍ୟାଳୟରେ ପହଞ୍ଚି ନଥିପତ୍ର ଯାଞ୍ଚ କରିଛନ୍ତି। ଜୁଲାଇ ୧୭ରେ ସରକାର କେତେକ କମ୍ପୋଜିଟ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଯୁକ୍ତି ପାଇଁ ତାଲିକା ପ୍ରକାଶ କରିଥିଲେ। ତାଲିକା ମୁତାବକ ବାଲେଶ୍ୱର ଜିଲା ସୋରୋ ମହାବିଦ୍ୟାଳୟର ଡ଼.ସୁବ୍ରତ ନାୟକ କରିଲୋପାଟଣା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଜୁଲାଇ ୨୫ରେ ଯୋଗ ଦେଇଥିଲେ। ଦାୟିତ୍ୱରେ ଥିବା ଅଧ୍ୟକ୍ଷ ତାଙ୍କୁ କେତେକ ଫାଇଲ ସହିତ ଦାୟିତ୍ୱ ହସ୍ତାନ୍ତର କରିଥିଲେ ମଧ୍ୟ କ୍ୟାସ୍ବୁକ, ରିଜୋଲୁସନ ଖାତା ସମେତ ଆଉ କେତେକ ଜରୁରୀ କାଗଜପତ୍ର ହସ୍ତାନ୍ତର କରି ନ ଥିଲେ। ଅଧ୍ୟାପକ ଏବଂ କର୍ମଚାରୀଙ୍କ ଦରମା ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଆର୍ଥିକ ପରିଚାଳନା ପାଇଁ କ୍ୟାସ୍ବୁକ୍ ଜରୁରୀ ହୋଇଥିବାରୁ ଏଗୁଡିକୁ ତୁରନ୍ତ ଦେବାକୁ ଜଣାଇବା ସତ୍ତ୍ୱେ ସେ ହସ୍ତାନ୍ତର କରି ନ ଥିଲେ। ଅପରପକ୍ଷେ ପୂର୍ବତନ ଅଧ୍ୟକ୍ଷ ନିଜକୁ ବରିଷ୍ଠତା ଭିତ୍ତିରେ ପ୍ରକୃତ ଅଧ୍ୟକ୍ଷ ବୋଲି ଘୋଷଣା କରିବା ସହିତ ସେ ହସ୍ତାନ୍ତର କରିଥିବା ସମସ୍ତ କାଗଜପତ୍ର ତାଙ୍କୁ ଫେରସ୍ତ କରିବାକୁ ନୂତନ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଥିଲେ। ମହାବିଦ୍ୟାଳୟ ପରିସରରେ ଏଭଳି ଅସୁସ୍ଥ ବାତାବରଣ ସୃଷ୍ଟି ହେବା ଦେଖି ନୂତନ ଅଧ୍ୟକ୍ଷ ନାୟକ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା କେନ୍ଦ୍ରାପଡ଼ା ଉପଜିଲାପାଳ ଅରୁଣ ନାୟକଙ୍କୁ ଭେଟି ସମସ୍ତ ବିଷୟରେ ଅବଗତ କରିଥିଲେ। ବୁଧବାର ମହାବିଦ୍ୟାଳୟ ଗସ୍ତ କରି ନଥିପତ୍ର ଯାଞ୍ଚ କରିବା ସହିତ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।